ଯାତ୍ରା ବିବାଦରେ ନୂଆମୋଡ଼: ମନ୍ତ୍ରୀଙ୍କୁ ଭେଟିଲେ, ନିର୍ଦେଶନାମା ଦାବି କଲେ

ଭୁବନେଶ୍ବର : ଯାତ୍ରାକୁ ନେଇ ଥମୁନି ବିବାଦ। ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଯୋଗୁଁଁ ସାମାଜିକ ଗଣମାଧ୍ୟମରେ ଆରୋପ ପ୍ରତ୍ୟାରୋପ ବଢ଼ିଚାଲିଛି। ଅନେକ ସମୟରେ ଏହାକୁ ନେଇ ମାଲିକ-କମିଟି ମଧ୍ୟରେ ବିବାଦ ଉଗ୍ରରୂପ ନେଉଛି। ଏଥିଯୋଗୁଁ ଯାତ୍ରା ପରିବେଶ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି। ପରିବାର ସହିତ ଯାତ୍ରା ଦେଖିବା ସମ୍ଭବ ହେଉନାହିଁ।
ଏନେଇ ଆଇନ ମନ୍ତ୍ରୀ ଅଙ୍କୁଶ ଲଗାଇବା ପାଇଁ ମତ ରଖିଥିବାବେଳେ ଯାତ୍ରା ଦଳର ମାଲିକଙ୍କୁ ଏଥିରୁ ଦୂରେଇ ରହିବାକୁ ଅନୁରୋଧ କରିଥିଲେ। ସଂସ୍କୃତି ମନ୍ତ୍ରୀ ମଧ୍ୟ ଏହାକୁ ସମର୍ଥନ କରି ଯାତ୍ରା ପାଇଁ ଆଇନ ଆସିବ ବୋଲି କହିଥିଲେ। ଯାତ୍ରା କମିଟି ମହାସଂଘ ପୁଣି ମଙ୍ଗଳବାର ନୂଆ ଅଭିଯୋଗ ଆଣିଛି। କମିଟିର କର୍ମକର୍ତ୍ତା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଭେଟି ଯାତ୍ରାକୁ ପ୍ରୋତ୍ସାହିତ କରିବା ବଦଳରେ ବ୍ୟବସାୟୀକରଣ କରୁଥିବା ଯାତ୍ରା ଅନୁଷ୍ଠାନ ଉପରେ କଟକଣା ଲଗାଇବାକୁ ଦାବି କରିଛନ୍ତି। ଏପରିକି ଯାତ୍ରା ପରିବେଷଣ ନିମନ୍ତେ ସ୍ବତନ୍ତ୍ର ନିର୍ଦେଶନାମା ଜାରି କରି ଆଇନ ପରିସରଭୁକ୍ତ କରିବାକୁ ସେମାନେ କହିଛନ୍ତି। ସଂସ୍କୃତି ମନ୍ତ୍ରୀଙ୍କ ଉପସ୍ଥିତିରେ କମିଟି ସଦସ୍ୟଙ୍କୁ ଆଲୋଚନାକୁ ଡାକିବେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରତିଶ୍ରୁତି ଦେଇଛନ୍ତି।
ମହାସଂଘର କର୍ମକର୍ତ୍ତାଙ୍କ କହିବା ଅନୁସାରେ ଯାତ୍ରା ପରି ଏକ ପୁରାତନ ଲୋକକଳା ପ୍ରତି ମାଲିକଙ୍କ ମାତ୍ରାଧିକ ବ୍ୟବସାୟିକ ମନୋବୃତ୍ତି ଯୋଗୁଁ ଯାତ୍ରାର ଭବିଷ୍ୟତ ବର୍ତ୍ତମାନ ଅନ୍ଧାର ଦିଗକୁ ଗତି କରୁଛି। ବିଗତ କିଛି ଦିନ ହେଲା ଯାତ୍ରା ପ୍ରଯୋଜକଙ୍କ ଅହେତୁକ ଦର ବୃଦ୍ଧି ଯୋଗୁଁ ଯାତ୍ରା ପଥଭ୍ରଷ୍ଟ ହେବାରେ ଲାଗିଛି। ଏସବୁ ଦିଗକୁ ସାମ୍ନାରେ ରଖି ଯାତ୍ରା କମିଟି ମହାସଂଘ ସମ୍ପାଦକ ଉମାକାନ୍ତ ମିଶ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳୀ ଆଇନ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଥିଲେ। ସରକାର ଯାତ୍ରା ପରିବେଷଣ ପାଇଁ ଏକ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରି ଏହାକୁ ଆଇନ ପରିସରଭୁକ୍ତ କରିବା, ଯାତ୍ରା ମାଲିକଙ୍କ ପାଇଁ ଯାତ୍ରା ପରିବେଷଣର ରାତି ପିଛା ମୂଲ୍ୟ ନିର୍ଦ୍ଧାରଣ ସହିତ ଟିକଟ ମୂଲ୍ୟ ଧାର୍ଯ୍ୟ, ଯାତ୍ରା ପରିବେଷଣ ଅନୁମତି ପ୍ରଦାନକୁ ସରଳୀକରଣ କରିବା, ଯାତ୍ରାରେ ଅଶ୍ଳୀଳତା, ନଗ୍ନତା, ଦ୍ବି-ଅର୍ଥ ବୋଧକ ସଂଳାପ ଓ ସମାଜ ପ୍ରତି ଖରାପ ପ୍ରଭାବ ପକାଉଥିବା କିଛି ନାଟକ ଓ ବିଷୟକୁ ନିଷେଧ କରିବାକୁ ମହାସଂଘ ଦାବି କରିଛି।




