ବାଲେଶ୍ୱର ବିଜେଡିରେ ଫାଟ; କାନ୍ଦିଲେ ମହିଳା କାଉନସିଲର, ଆଣିଲେ ସଙ୍ଗୀନ ଅଭିଯୋଗ
ନିର୍ବାଚନରେ ପରାଜୟ ପରେ ବିଜେଡିରେ ଦେଖାଦେଲାଣି ଦଳୀୟ ଗୋଷ୍ଠୀକନ୍ଦଳ। ବିଭିନ୍ନ ସ୍ଥାନରେ ଦଳରେ ଫାଟ ସୃଷ୍ଟି ହୋଇ କଳି ପଦାରେ ପଡ଼ିଥିବା ବେଳେ ଏବେ ବାଲେଶ୍ୱର ବିଜେଡିରେ ସମାନ ସ୍ଥିତି ଉପୁଜିଛି। ଦଳୀୟ କନ୍ଦଳ ସାଂଘାତିକ ରୂପ ଧାରଣ କରି ଏବେ ଚର୍ଚ୍ଚାର କାରଣ ପାଲଟିଛି।
ବାଲେଶ୍ୱର ବିଜେଡିର ଜଣେ କାଉନସିଲର ନିଜ ଦଳର ମହିଳା କାଉନସିଲରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।
ଏପରିକି ମହିଳା କାଉନସିଲରଙ୍କୁ ପୁରୁଷ କାଉନସିଲରଜଣକ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହେଉଛି।
ଏନେଇ ମହିଳା କାଉନସିଲର ଜଣକ ଥାନାରେ ଅଭିଯୋଗ କରିଥିବା ବେଳେ ୧୦ ଦିନ ପରେ ବି ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି। ଏଥିଯୋଗୁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ମହିଳା କାଉନସିଲର ଜଣକ ସାମ୍ବାଦିକ ସମ୍ମିଳନୀରେ କାନ୍ଦି କାନ୍ଦି ନିଜ କ୍ଷୋଭ ପ୍ରକାଶ କରିଛନ୍ତି।
ନିଜ ଦଳ ଭିତରେ ଏପରି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ଆଣିଥିବା ମହିଳା ନେତ୍ରୀ ଜଣକ ହେଉଛନ୍ତି ବାଲେଶ୍ୱର ପୌରପାଳିକାର ୨୩ ନମ୍ବର ୱାର୍ଡ ବିଜେଡି କାଉନସିଲର ଶଶିରେଖା ମହାନ୍ତି । ସେ ୨୨ ନମ୍ବର ୱାର୍ଡର ବିଜେଡି କାଉନସିଲର ଦେବାଶିଷ ସିଂହଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।