‘ଲୋକଙ୍କ ଭିତରେ ପଠନ ଅଭ୍ୟାସ ବଢ଼ିଲେ ପାଠାଗାରର ସଠିକ ଉପଯୋଗ ହୋଇପାରିବ’

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସାରା ପୃଥିବୀରେ ପାଠାଗାରର ପରିଭାଷା ବଦଳିଛି। ଏହା ଆଉ କେବଳ ଗ୍ରନ୍ଥାଗାର ଭାବେ ସୀମିତ ହୋଇ ରହିନାହିଁ। ସେଠାରେ କମ୍ପ୍ୟୁଟର ଓ ଇଣ୍ଟରନେଟ୍ ବ୍ୟବସ୍ଥା ହେବା ସହ ଯୁବପିଢ଼ିଙ୍କ ନିଯୁକ୍ତି ସମ୍ଭାବନା ବୃଦ୍ଧି, ବିଭିନ୍ନ ବର୍ଗଙ୍କ ପାଇଁ ଦକ୍ଷତା ବିକାଶ, ଡିଜିଟାଲ ଓ ଆର୍ଥିକ ସାକ୍ଷରତା ଆଦି କ୍ଷେତ୍ରରେ ବିକାଶ ଲାଗି ଏହାକୁ ଏକ ଆଧୁନିକ ଗୋଷ୍ଠୀ ସାଧନ କେନ୍ଦ୍ର ଭାବେ ବ୍ୟବହାର କରାଯାଉଛି। ଏହି ମଡେଲକୁ ଓଡ଼ିଶାରେ କିପରି ପ୍ରୟୋଗ କରାଯାଇ ପାରିବ ସେନେଇ ଭୁବନେଶ୍ୱରରେ ଆୟୋଜିତ ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୪’ରେ ମାନସ ମନ୍ଥନ କରାଯାଇଥିଲା।
ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସଙ୍ଗଠନ ଦ ‘ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକାସ୍’ (ଓସା) ପକ୍ଷରୁ ଭଞ୍ଜକଳା ମଣ୍ଡପଠାରେ ରବିବାର ଦିନ ଏହି ଦିନିକିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଓସାର ଏହି ଅଭିନବ ଉଦ୍ୟମକୁ ପ୍ରଶଂସା କରିଥିଲେ।
‘‘ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗଙ୍କ ଜ୍ଞାନର ପରିସୀମାକୁ ବୃଦ୍ଧି କରିବା ଦିଗରେ ପାଠାଗାରର ଏକ ପ୍ରମୁଖ ଭୂମିକା ରହିଛି। ତେଣୁ ବର୍ତ୍ତମାନ ସମୟରେ ପାଠାଗାରଗୁଡ଼ିକର ଆଧୁନିକୀକରଣ ସହ ସମସ୍ତଙ୍କ ଭିତରେ ପଠନ ଅଭ୍ୟାସକୁ ପୁଣିଥରେ ଫେରାଇ ଆଣିବାକୁ ହେବ। ଲୋକଙ୍କ ଭିତରେ ପଢ଼ିବାର ଅଭ୍ୟାସ ବୃଦ୍ଧି ପାଇଲେ ସର୍ବସାଧାରଣ ପାଠାଗାରଗୁଡ଼ିକର ଉପଯୁକ୍ତ ବ୍ୟବହାର ହୋଇପାରିବ। ଏଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ,’’ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଏହି ସ୍ୱତନ୍ତ୍ର ଅଧିବେଶନରେ ଭାଗନେଇ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ‘‘ଓଡ଼ିଶାର ଗ୍ରାମୀଣ ସ୍ତରରେ ଆଧୁନିକ ସର୍ବସାଧାରଣ ପାଠାଗାର ସ୍ଥାପନ ପାଇଁ ଓସା ପକ୍ଷରୁ ଯେଉଁ ପ୍ରସ୍ତାବ ଦିଆଯାଇଛି ତାହା ସ୍ୱାଗତଯୋଗ୍ୟ। ଏ ଦିଗରେ ରାଜ୍ୟ ସରକାର ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ପ୍ରସ୍ତୁତ ଅଛନ୍ତି। ଦଳ ମତ ନିର୍ବିଶେଷରେ ବିଧାୟକମାନଙ୍କ ହାତ ପାଣ୍ଠିର ବିନିଯୋଗ କରାଯାଇ ପାରିଲେ ରାଜ୍ୟର ସମସ୍ତ ବ୍ଲକ ସ୍ତରରେ ପାଠାଗାର ସ୍ଥାପନ ସମ୍ଭବ ହୋଇପାରିବ।’’ ତେଣୁ ଆଧୁନିକ ପାଠାଗାରର ରୂପରେଖ କିପରି ହେବା ଦରାକର ସେନେଇ ଏକ ବିସ୍ତୃତ ରୋଡମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ସେ ‘ଓସା’ର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ।