କର୍ଣ୍ଣାଟକ: କାର୍ ଉପରେ ଓଲଟି ପଡ଼ିଲା କଣ୍ଟେନର, ସଫ୍ଟୱେୟାର କମ୍ପାନୀ ସିଇଓଙ୍କ ସମେତ ୬ ମୃତ
କର୍ଣ୍ଣାଟକର ବେଙ୍ଗାଲୁରୁ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ କଣ୍ଟେନର ଟ୍ରକ୍ ଏକ କାର୍ ଉପରେ ଓଲଟି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ବେଙ୍ଗାଲୁରୁ ଉପକଣ୍ଠ ତାଲେକେରେ ନିକଟ ନେଲମଙ୍ଗଲାରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ କହିଛି ।
ପୋଲିସ ମୃତକମାନଙ୍କୁ ଚିହ୍ନଟ କରିଛି । ସେମାନେ ହେଲେ ଚନ୍ଦ୍ରାୟଗପ୍ପା ଗୌଲ (୪୮), ତାଙ୍କ ପତ୍ନୀ ଗୌରାବାଇ (୪୨), ପୁଅ ଜନ୍ (୧୬), ଝିଅ ଦୀକ୍ଷା (୧୨), ଚନ୍ଦ୍ରାୟଗପ୍ପାଙ୍କ ଭାଉଜ ବିଜୟଲକ୍ଷ୍ମୀ (୩୬) ଓ ତାଙ୍କ ଝିଅ ଆର୍ଯ୍ୟା (୬) । ଚନ୍ଦ୍ରାୟଗପ୍ପା ଗୌଲ ଏକ ସଫ୍ଟୱେୟାର୍ କମ୍ପାନୀର ସିଇଓ ଥିଲେ ।
ପୋଲିସ ସୂଚନା ମୁତାବକ, ଏହି ଦୁର୍ଘଟଣା ବେଳେ ଚନ୍ଦ୍ରାୟଗପ୍ପା ନିଜ ପରିବାର ସହ ଏକ ଦାମୀ ନୂଆ କାରରେ ହୋମଟାଉନ୍ ସାଙ୍ଗଲି ଯାଉଥିଲେ । ସକାଳ ପ୍ରାୟ ୧୧ଟାରେ ରାଜପଥର ବେଙ୍ଗାଲୁରୁ-ତୁମକୁରୁ ସେକ୍ସନରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ପରିବାର ଲୋକେ ଜଣେ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ନିଜ ଗୃହନଗରକୁ ଯାଉଥିଲେ ।
ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ ଏମାନେ ସୁରକ୍ଷିତ ଭାବରେ ଗାଡ଼ି ଚଲାଉଥିଲେ ଏବଂ ଏମାନଙ୍କର କୌଣସି ଭୁଲ୍ ନ ଥିଲା । ଟ୍ରକଟି କାର୍ ଉପରେ ଓଲଟି ପଡ଼ିବାରୁ କାର୍ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ଏଥିଯୋଗୁ ମୃତଦେହଗୁଡ଼ିକ ଚାପି ହୋଇଯାଇ କ୍ଷତବିକ୍ଷତ ହୋଇଯାଇଥିଲା । ଦୁର୍ଘଟଣା ଯୋଗୁ ୪୮ ନମ୍ବର ଜାତୀୟ ରାଜପଥରେ ଗାଡ଼ିମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା ।
ସେପଟେ ଗତ ରାତିରେ ମଧ୍ୟ ମହାରାଷ୍ଟ୍ର ପୁନେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସହରର ୱାଘୋଲି ଛକ ଫୁଟପାଥରେ ଝୁମ୍ପୁଡ଼ିରେ ଶୋଇଥିବା ବେଳେ ୯ ଜଣଙ୍କ ଉପରେ ଡମ୍ଫର ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି ।