ଚଳିତଶିକ୍ଷା ବର୍ଷରେ ବିଦ୍ୟାଳୟ ପାଠାଗାର ଲାଗି ପୁସ୍ତକ କ୍ରୟ ପ୍ରକ୍ରିୟା ଆରମ୍ଭ – Ibnodisha
[ad_1]
ଭୁବନେଶ୍ୱର: ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟଗୁଡିକରେ ପାଠାଗାରକୁ ଗୁରୁତ୍ୱ ଦିଆଯାଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ୨ବର୍ଷ ପୂର୍ବରୁ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରିଡିଂ କ୍ଲାସ ବାଧ୍ୟତାମୂଳକ କରାଯାଇଛି । ଅର୍ଥାତ ଶ୍ରେଣୀ ପାଠପଢ଼ା ପରି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପାଠାଗାରରେ ୪୫ମିନିଟ୍ ବିଭିନ୍ନ ପାଠ୍ୟପୁସ୍ତକ ଅଧ୍ୟୟନ କରି ସେମାନଙ୍କର ବର୍ହିଜ୍ଞାନର ବିକାଶ କରିପାରିବେ ।
ତେବେ ରାଜ୍ୟରେ କେବଳ ସରକାରୀ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ୩୬୦୭୦ ଥିବା ବେଳେ କେବଳ ଉଚ୍ଚପ୍ରାଥମିକ ସ୍କୁଲ ସଂଖ୍ୟା ୩୩୦୭ ରହିଛି । ମାତ୍ର କିଛି ସ୍କୁଲରେ ଉଭୟ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ଶ୍ରେଣୀ ମଧ୍ୟ ରହିଛି । ଏହି ସ୍କୁଲ ସଂଖ୍ୟା ୧୮୭୧୨ ରହିଛି । ସେହିପରି ପ୍ରଥମରୁ ମାଧ୍ୟମିକ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ସଂଖ୍ୟା ୫୮୦୮୯ଟି ରହିଥିବା ବେଳେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀକୁ ମିଶାଇଲେ ମୋଟ୍ ସ୍କୁଲ ସଂଖ୍ୟା ୬୯, ୨୦୮ଟି ରହିଛି ।
ତେବେ ବିଦ୍ୟାଳୟରେ ଶ୍ରେଣୀ ପାଠପଢ଼ା ବ୍ୟତୀତ ଛାତ୍ରଛାତ୍ରୀଙ୍କୁ ସମ୍ବାଦପତ୍ର ପଠନ, ବିଭିନ୍ନ ପ୍ରକାଶଙ୍କ ଦ୍ୱାରା ପ୍ରକାଶିତ ଶ୍ରେଣୀ ଉପଯୋଗୀ ଗଳ୍ପ, କବିତା, ଉପନ୍ୟାସ, ପୌରାଣିକ ଆଦି ପୁସ୍ତକ ପ୍ରତି ଆଗ୍ରହ ବଢ଼ାଇବା ଲାଗି ସମଗ୍ର ଶିକ୍ଷା ଯୋଜନାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେଣୁ ପ୍ରତିବର୍ଷ ବିଦ୍ୟାଳୟ ପାଠାଗାର ଲାଗି ବିଭିନ୍ନ ପ୍ରକାଶଙ୍କ ପୁସ୍ତକ କ୍ରୟ କରାଯାଉଛି । ଚଳିତ ଶିକ୍ଷାବର୍ଷ ଲାଗି ବିଦ୍ୟାଳୟଗୁଡିକ ଲାଗି ଶ୍ରେଣୀ ଉପଯୋଗୀ ପୁସ୍ତକ କ୍ରୟ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ।
ରାଜ୍ୟରେ ସ୍କୁଲ ପାଠାଗାର ଲାଗି ପୁସ୍ତକ କ୍ରୟ ଲାଗି ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ସମଗ୍ରଶିକ୍ଷା ଯୋଜନାରେ ଧାର୍ଯ୍ୟ ଥିବା ପ୍ରାୟ ୨୦କୋଟି ଟଙ୍କାର ପୁସ୍ତକ ବାହାର ପ୍ରକାଶକଙ୍କ ଠାରୁ କ୍ରୟ କରାଯିବ । ତେଣୁ ଏ ନେଇ ମଙ୍ଗଳବାର ପ୍ରକାଶକ ସଂଘ “ଉତ୍କଳ ପବ୍ଲିଶର୍ସ ଆଣ୍ଡ ବୁକ୍ସେଲର୍ସ ଆସୋସିଏସନ୍’ର ସଦସ୍ୟମାନଙ୍କ ସହ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପୁସ୍ତକ ବିତରଣ ପାଇଁ ସରକାରଙ୍କ ପକ୍ଷରୁ ଆହୁତ ଆଗ୍ରହ ଅଭିବ୍ୟକ୍ତି (ଇଓଆଇ) ଉପରେ ପୁନର୍ବିଚାର ଓ ଆଲୋଚନା ପାଇଁ ସଂଘ ଦାବି କରି ଆସୁଥିବାବେଳେ ଆଜି ପୂର୍ବାହ୍ଣରେ ଓସେପା କାର୍ଯ୍ୟାଳୟରେ ଏ ନେଇ ବୈଠକ ଅନୁଷ୍ଠିତ ହୋଇଛି ।
ଲେଖକ ଓ ପ୍ରକାଶକଙ୍କ ସ୍ୱାର୍ଥରକ୍ଷା ସହ ରାଜ୍ୟର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଉତ୍ତମ ମାନର ପୁସ୍ତକ ବିତରଣ ପାଇଁ ସଂଘ ପକ୍ଷରୁ ୬ଟି ପ୍ରସ୍ତାବ ନିର୍ଦ୍ଦେଶକଙ୍କ ପାଖରେ ଉପସ୍ଥାପନା କରାଯାଇଥିଲା । ଏସବୁ ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ପୁନର୍ବିଚାର ନେଇ ଉଭୟ ପକ୍ଷ ମଧ୍ୟରେ ସହମତି ପ୍ରକାଶ ପାଇଥିଲା । ଇଓଆଇ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସହଜ କରିବା ପାଇଁ ଓସେପା ନିର୍ଦ୍ଦେଶକଙ୍କ ପ୍ରସ୍ତାବ ଓ ଉଦ୍ୟମକୁ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା ।
ଭବିଷ୍ୟତରେ ବହି ବିତରଣ ପ୍ରକ୍ରିୟାରେ ସରକାରଙ୍କୁ ସମସ୍ତ ସହଯୋଗ କରିବାକୁ ସଂଘ ପ୍ରତିଶ୍ରୁତି ଦେଇଥିଲା । ତେବେ ଏ ସମ୍ପର୍କରେ ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି ଯେ ‘ଆମେ ଏଥରର ଇଓଆଇ ନିୟମାବଳିକୁ ସ୍ୱାଗତ କରିବା ସହ ପୁସ୍ତକ ଚୟନ ପ୍ରକ୍ରିୟାକୁ ଅଘିକ ସୁଗମ ଓ ସ୍ୱଚ୍ଛ କରିବା ନେଇ ଆଦିର ବୈଠକରେ ଆଲୋଚନା କରିଛୁ । ନିର୍ଦ୍ଦେଶକଙ୍କୁ ପ୍ରକାଶକ ସଂଘ ସମ୍ପୂର୍ଣ୍ଣର୍ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପଣ୍ଡା କହିଛନ୍ତି । ଅନ୍ୟପଟେ ନିର୍ଦ୍ଦେଶକ ମଧ୍ୟ ଅନୁରୂପ ଭାବେ ସହଯୋଗ ଜାରିରଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।’
ଶ୍ରେଣୀଗୃହ ବାହାରେ ରାଜ୍ୟର ପ୍ରାୟ ୬୦ ହଜାର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମେଧାବୃଦ୍ଧି ଓ ମନୋରଞ୍ଜନ ପାଇଁ ବିଗତ ୩ ବର୍ଷ ଧରି ଓଡ଼ିଶା ସରକାର ଓସେପା ମାଧ୍ୟମରେ ପାଠାଗାର ପୁସ୍ତକ କିଣି ଆସୁଛନ୍ତି । ବିଦ୍ୟାଳୟ ପରିସରରେ ସୁନ୍ଦର ପାଠାଗାର ସାଙ୍ଗକୁ ପ୍ରତିବର୍ଷ ପିଲାମାନେ ନୂଆନୂଆ ବହି ପଢ଼ିବାର ସୁଯୋଗ ପାଉଛନ୍ତି ।
[ad_2]