ରାଜନୀତି

ରାଷ୍ଟ୍ରପତିଙ୍କୁ ‘ବିଚାରୀ ମହିଳା’ କହିଲେ ସୋନିଆ: ବିବାଦ ତେଜିଲା, ମନ୍ତବ୍ୟ ଅଗ୍ରହଣୀୟ, ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଆଜି କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଛି। ଆଜିଠାରୁ ଆରମ୍ଭ ହୋଇଥିବା ସଂସଦର ବଜେଟ୍‌ ଅଧିବେଶନରେ ପାରମ୍ପରିକ ଭାଷଣ ପରେ ୬୬ ବର୍ଷୀୟା ମୁର୍ମୁ ଥକି ଯାଇଥିବା କହି ସୋନିଆ ଗାନ୍ଧୀ ଉଦ୍‌ବେଗ ପ୍ରକାଶ କରିବା ସହ ତାଙ୍କ ପ୍ରତି ‘ପୁଅର ଥିଙ୍ଗ୍’ (ବିଚାରୀ ମହିଳା) ଶବ୍ଦ ପ୍ରୟୋଗ କରିବା ପରେ ବିଜେପି ଏହାକୁ ଅପମାନଜନକ ମନ୍ତବ୍ୟ ବୋଲି କହି ନିନ୍ଦା କରିବା ସହ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି। ବଜେଟ୍ ଅଧିବେଶନ ଆରମ୍ଭ ଅବସରରେ ଆଜି ସକାଳେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ମୁର୍ମୁ। ସଂସଦ ବାହାରେ ଶ୍ରୀମତୀ ଗାନ୍ଧୀଙ୍କୁ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ସାମ୍ବାଦିକମାନେ ପଚାରିଥିଲେ। ସୋନିଆ କହିଥିଲେ, ଶେଷ ବେଳକୁ ରାଷ୍ଟ୍ରପତି ବହୁତ ଥକି ଯାଇଥିଲେ। ସେ କିଛି କହିପାରୁ ନ ଥିଲେ, ‘ବିଚାରୀ ମହିଳା’ ବୋଲି ଶ୍ରୀମତୀ ଗାନ୍ଧୀ ତାଙ୍କ ପୁଅ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଉପସ୍ଥିତିରେ ଉତ୍ତର ଦେଇଥିଲେ। ବିରକ୍ତିକର, ସମାନ କଥା ବାରମ୍ବାର ଦୋହରାଉଛନ୍ତି ବୋଲି ସାମ୍ବାଦିକମାନଙ୍କୁ ଜବାବ ଦେବା ଅବସରରେ ରାହୁଲ ତାଙ୍କ ମା’ଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଥିଲା।

ରାଷ୍ଟ୍ରପତି ଭବନର ପ୍ରତିକ୍ରିୟା

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏକ ଆନୁଷ୍ଠାନିକ ବିବୃତି ଜାରି କରି ସୋନିଆଙ୍କ ମନ୍ତବ୍ୟକୁ ଅଗ୍ରହଣୀୟ ବୋଲି କହିବା ସହ ଏହା ସ୍ପଷ୍ଟ ଭାବେ ଉଚ୍ଚ ପଦର ମର୍ଯ୍ୟାଦାକୁ ଆଘାତ ପହଞ୍ଚାଇଛି ବୋଲି କହିଛି। ରାଷ୍ଟ୍ରପତି ଭବନ ସ୍ପଷ୍ଟ କରିବାକୁ ଚାହିଛି ଯେ ରାଷ୍ଟ୍ରପତି କୌଣସି ମୁହୂର୍ତ୍ତରେ ଥକି ନ ଥିଲେ। ଅବହେଳିତ ସମ୍ପ୍ରଦାୟ, ମହିଳା ଓ କୃଷକମାନଙ୍କ ପାଇଁ କହିବା କେବେ ବି କ୍ଳାନ୍ତିକର ହୋଇପାରିବ ନାହିଁ। ଏଭଳି ମନ୍ତବ୍ୟ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ।

କ୍ଷମା ମାଗିବାକୁ ଦାବି କଲା ବିଜେପି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପି ନେତାମାନେ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ କଂଗ୍ରେସ ସାମନ୍ତବାଦୀ ମାନସିକତା ବଜାୟ ରଖି ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିଥିବା ଅଭିଯୋଗ କରିଛନ୍ତି। ଉଭୟ କଂଗ୍ରେସ ଓ ଆପ୍ ଅହଂକାର ପ୍ରଦର୍ଶନ କରୁଛନ୍ତି। ଆପ୍ ଏମିତି କାମ କରୁଛି ଯେମିତି ସେମାନେ ଦିଲ୍ଲୀର ମାଲିକ ହୋଇଥିବା ବେଳେ କଂଗ୍ରେସ ପରିବାରର ଅହଂକାର ଆଜି ପୂରା ପ୍ରଦର୍ଶିତ ହୋଇଛି। ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ଅନୁପଯୁକ୍ତ। ଯିଏ କି ରାଷ୍ଟ୍ରପତି ମୁର୍ମୁ ଥକି ଯାଇ ବିରକ୍ତିକର ଭାଷଣ ଦେଇଥିବା କହିଛନ୍ତି। ଏହି ମନ୍ତବ୍ୟ କେବଳ ରାଷ୍ଟ୍ରପତିଙ୍କୁ ନୁହେଁ, ବରଂ ପ୍ରତ୍ୟେକ ଗରିବ ଓ ଆଦିବାସୀ ସମ୍ପ୍ରଦାୟକୁ ଅପମାନିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। କଂଗ୍ରେସର ରାଜ ପରିବାର ରାଷ୍ଟ୍ରପତିଙ୍କୁ ଏଭଳି ଅପମାନ କରିବା କଦାପି ଗ୍ରହଣୀୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ବିଜେପି ପକ୍ଷରୁ ବୟାନ ଜାରି କରାଯାଇ ବିରୋଧୀ ଦଳ ଏହି ମାମଲାରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁ ବୋଲି ଦାବି କରାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button