ଟ୍ବିଟାପ୍ଗ୍ରାମ୍: ୩ ଜଣ ନିଦା ଲୋକ ଛାଇଗଲେ – Ibnodisha

[ad_1]

ଜୟନ୍ତ ମହାପାତ୍ର: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ଜୟନ୍ତ ମହାପାତ୍ର ଚାଲିଗଲେ। ସୋସିଆଲ ମିଡିଆରେ ଅପେକ୍ଷାକୃତ କମ୍ ଦେଖାଯାଉଥିବା ଅନ୍ତର୍ମୁଖୀ ସାହିତ୍ୟିକ/ବୁଦ୍ଧିଜୀବୀ ବର୍ଗ ମଧ୍ୟ, ସେମାନେ ଜୟନ୍ତ ମହାପାତ୍ରଙ୍କ ସହ ପୂର୍ବରୁ ଉଠାଇଥିବା ଫଟୋ କିମ୍ବା ତାଙ୍କ ସହ ବିତାଇଥିବା ମୁହୂର୍ତ୍ତମାନ ବହୁ ସଂଖ୍ୟାରେ ସେୟାର୍ କଲେ। ଉଭୟ ବିଜ୍ଞାନ ଶାସ୍ତ୍ର ଓ କଳାକୁ କରାୟତ କରିପାରିଥିବା ବିରଳ ବ୍ୟକ୍ତି ଥିଲେ ସ୍ବର୍ଗତ ମହାପାତ୍ର। କବି ଭାବେ ତ ବିଶ୍ବରେ ପରିଚିତ! ସେ ଦୃଷ୍ଟିରୁ କଳାରେ ଅଲିଖିତ ଅଥଚ ସର୍ବସ୍ବୀକୃତ ମାଷ୍ଟର। ପଦାର୍ଥ ବିଜ୍ଞାନରେ ଅଧ୍ୟାପନା ତାଙ୍କୁ ଜଣେ ଲିଖିତ ମାଷ୍ଟରର ମର୍ଯ୍ୟାଦା ମଧ୍ୟ ଦିଏ। ଯେତେବେଳେ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ଗଣମାଧ୍ୟମରେ କାମ କରୁଥିବାରୁ ଆମପରି ଲୋକଙ୍କୁ ଶ୍ରଦ୍ଧାଂଜଳି ବାର୍ତ୍ତା ଛାପିବା ପାଇଁ ଅନେକ ଅନୁରୋଧ ଆସେ। ସବୁ ବିଶିଷ୍ଟ ବ୍ୟକ୍ତିଙ୍କ ପରି ଏଥର ମଧ୍ୟ ବହୁତ ଅନୁରୋଧ ଆସିଥିଲା। ବଡ଼ କଥା ହେଉଛି, ଜୟନ୍ତ ମହାପାତ୍ରଙ୍କ ବିଷୟକୁ ଅଧିକାଂଶ ‘ଜଣେ ଭଲ ମଣିଷ’ ବୋଲି ହିଁ କହୁଥିଲେ। ଆହୁରି ବଡ଼ କଥା, ଜୟନ୍ତ ମହାପାତ୍ରଙ୍କ ପରଲୋକ ଖବର ନେଇ ଫୋନ୍ କରିଥିବା ଅଧିକାଂଶ ଲୋକ ‘ଏହା ଏକ ବହୁତ ବଡ଼ ଖବର; ପୃଷ୍ଠା-୧ରେ ପ୍ରମୁଖତାର ସହ ଯିବା କଥା’ ବୋଲି ପରାମର୍ଶ ମଧ୍ୟ ଦେଉଥିଲେ। ଆଗକୁ ଜୟନ୍ତଙ୍କୁ ଏ ଜାତି ଉପଯୁକ୍ତ ମର୍ଯ୍ୟାଦା ଦେଲେ ହେଲା।
ନୀରଜ ଚୋପ୍ରା: କ୍ରିକେଟ, ହକି, ଫୁଟବଲ ପରି ଦଳଗତ ଖେଳର ଚାମ୍ପିଅନ୍ ଖେଳାଳିମାନଙ୍କୁ ଆଲୋଚନାକୁ ନ ଆଣିଲେ, ଯୁକ୍ତି ଛଳରେ କୁହାଯାଇପାରେ, ଜାଭଲିନ୍ରେ ଅଲିମ୍ପିକ୍ ସ୍ବର୍ଣ୍ଣ ଜିତିବା ମୁହୂର୍ତ୍ତଠାରୁ ନୀରଜ ଚୋପ୍ରା ଏ ଦେଶର ସର୍ବକାଳୀନ ମହାନତମ କ୍ରୀଡ଼ାବିତ ହୋଇସାରିଥିଲେ। ଢେର୍ ପୂର୍ବରୁ ସେଇ ଅଲିମ୍ପିକ୍ ସ୍ବର୍ଣ୍ଣ ଜିତିଥିବା ଅଭିନବ ବିନ୍ଦ୍ରାଙ୍କଠାରୁ ମଧ୍ୟ ଏହା ମହତ୍ତ୍ବପୂର୍ଣ୍ଣ ଥିଲା। ପ୍ରବଳ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଜାଭଲିନ୍ ପରି ବିଶ୍ବ ଦୌଡ଼କୁଦ ଇଭେଣ୍ଟରେ, ଯାହା ଅଣ-ଏସୀୟ ଆଥ୍ଲେଟ୍ଙ୍କ କବ୍ଜାରେ ରହିଆସିଛି, ନୀରଜ ବିଶ୍ବବିଜେତା ହୋଇପାରିଥିଲେ। ପୂର୍ବତନ ବିଶ୍ବ ଚେସ୍ ଚାମ୍ପିଅନ ବିଶ୍ବନାଥନ ଆନନ୍ଦ, ପାଦୁକୋନ-ଗୋପୀଚାନ୍ଦ ପ୍ରମୁଖ ବ୍ୟାଡମିଣ୍ଟନ ତାରକା ମଧ୍ୟ ନୀରଜଙ୍କ ଉପଲବ୍ଧି ଆଗରେ ଯୁକ୍ତିଛଳରେ ଫିକା ଲାଗିଲେ। ତେଣୁ ନିକଟରେ ବିଶ୍ବ ଦୌଡ଼କୁଦ ଚାମ୍ପିଅନ୍ସିପ୍ରେ ମଧ୍ୟ ସେ ସ୍ବର୍ଣ୍ଣ ଜିଣିବା ଦ୍ବାରା ସମ୍ଭବତଃ ଏ ନେଇ ଆଉ କାହାରି ମନରେ କିଛି ଦ୍ବନ୍ଦ୍ବ ରହିବନି। ମୋଦୀ-ରାହୁଲ-ନବୀନ-ପାଣ୍ଡିଆନ ଉପାଖ୍ୟାନଗୁଡ଼ିକୁ ନେଇ ବ୍ୟସ୍ତ ମୁଖ୍ୟସ୍ରୋତ ଗଣମାଧ୍ୟମ କିନ୍ତୁ ନୀରଜଙ୍କ ଏହି ଉପଲବ୍ଧିକୁ ଉପଯୁକ୍ତ ଭାବେ ଉପସ୍ଥାପନ କରିବାରେ ପ୍ରାୟତଃ ବିଫଳ ହୋଇଛି। ସାମାଜିକ ଗଣମାଧ୍ୟମରେ କ୍ରୀଡ଼ାପ୍ରେମୀମାନେ ନୀରଜଙ୍କୁ ନେଇ ପୋଷ୍ଟ ପରେ ପୋଷ୍ଟ କରିଚାଲିଥିଲେ ହେଁ ମୁଖ୍ୟସ୍ରୋତ ଗଣମାଧ୍ୟମ ଏ ଦିଗରେ ପଛେଇଯିବାରୁ ଦେଶରେ ଆଶାନୁରୂପ ଗଣଉନ୍ମାଦନା ସୃଷ୍ଟି ହୋଇପାରିନାହିଁ। ସୂଚନାଯୋଗ୍ୟ, ଅନେକ ଥର ଅଲିମ୍ପିକ୍ ଓ ବିଶ୍ବ କପ୍ ଅପେକ୍ଷା ୟୁରୋପୀୟ ଫୁଟ୍ବଲ ଚାମ୍ପିଅନ୍ସିପ୍ର ସ୍ତର ଉନ୍ନତ ହେବାର ଦେଖାଯାଏ। ସେହିପରି ୱର୍ଲଡ ଟ୍ରାକ୍ ଆଣ୍ଡ ଫିଲ୍ଡ ବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ମାନ ଅଧିକାଂଶ ସମୟରେ ଅଲିମ୍ପିକ୍ ଅପେକ୍ଷା ଉନ୍ନତ। ଅଲିମ୍ପିକ୍ଠାରୁ ଅଧିକ ବିଶ୍ବ ରେକର୍ଡ ମଧ୍ୟ ଏହି ପ୍ରତିଯୋଗିତାରେ ସ୍ଥାପିତ ହୋଇଛି। ତେଣୁ ଏହା ଅଧିକ କଷ୍ଟସାଧ୍ୟ ବୋଲି ନୀରଜ ଯଥାର୍ଥରେ କହିଛନ୍ତି। ଦେଖାଯାଉ, ଦେଶର କ୍ରୀଡ଼ା ଇତିହାସରେ ଏ ଜାତି ତାଙ୍କୁ କୋଉ ସ୍ଥାନ ଦେଉଛି!
କିଶୋର ଜେନା: କିଶୋର ଜେନା ଓଡ଼ିଶାର ମହାନତମ କ୍ରୀଡ଼ାବିତଙ୍କ ତାଲିକାରେ ନିଜ ନାମ ଲେଖାଇସାରିଛନ୍ତି। ଅନାଲୋଚିତ ଏହି ନାଁଟି, ଖୁବ୍ ଅଳ୍ପଦିନ ଭିତରେ ପ୍ରାତଃ-ସ୍ମରଣୀୟ ହେଲା ଭଳି ବିରାଟ ଉପଲବ୍ଧି ସହ ଯୋଡ଼ିହୋଇଯାଇଛି। ବିଶ୍ବ ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ର ଫାଇନାଲକୁ ଉନ୍ନୀତ ହେବା ଏମିତିରେ ଏକ ବିରାଟ ଉପଲବ୍ଧି ଥିଲା। ରଚିତା ପଣ୍ଡା ମିସ୍ତ୍ରୀ, ଦୂତି ଚାନ୍ଦ ପ୍ରମୁଖ ପ୍ରସିଦ୍ଧ ଓଡ଼ିଆ ଆଥ୍ଲେଟ୍ ଦେଶରେ ଅନେକ ଥର ପ୍ରଥମ ସ୍ଥାନରେ ରହି ଏସୀୟ କ୍ରୀଡ଼ାରେ ମଧ୍ୟ ତୀବ୍ର ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଅଥଚ କେହି ଓଡ଼ିଆ ଏହା ପୂର୍ବରୁ ବିଶ୍ବ ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ର ଫାଇନାଲ୍କୁ ଉନ୍ନୀତ ହୋଇ ନ ଥିଲେ। ନୀରଜଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରି କିଶୋର ଏଥିରେ ପଞ୍ଚମ ସ୍ଥାନରେ ରହିଛନ୍ତି। ବିଶ୍ବର ଏହି ସର୍ବୋଚ୍ଚ ପ୍ରତିଯୋଗିତାରେ ଜାଭ୍ଲିନ ପରି ଏକ ଇଭେଣ୍ଟରେ ପଞ୍ଚମ ସ୍ଥାନରେ ରହିବା ଅବିଶ୍ବସନୀୟ। ତେବେ ମୁଖ୍ୟସ୍ରୋତ ଗଣମାଧ୍ୟମ ତାଙ୍କୁ ‘ବିସ୍ମୟ’ ଭାବେ ଉପସ୍ଥାପନ କରିବାରେ କିଛିଟା ସଫଳ ହୋଇଥିବା ବେଳେ ସାମାଜିକ ଗଣମାଧ୍ୟମ ସାଥ୍ ଦେଇନାହିଁ। ଆଶା, ଆଗକୁ ରାଜ୍ୟ ତାଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଦେବ।
[ad_2]