IBN ଓଡ଼ିଶା ବ୍ୟୁରୋ

ଗାଜା ଦଖଲ କରିବ ଆମେରିକା: ନେତାନ୍ୟାହୁଙ୍କ ସହ ଟ୍ରମ୍ପଙ୍କ ଆଶ୍ଚର୍ଯ୍ୟଜନକ ଘୋଷଣା

ତେଲ ଅବିବ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର କହିଛନ୍ତି ଯେ ପାଲେଷ୍ଟାଇନବାସୀଙ୍କୁ ଅନ୍ୟତ୍ର ଥଇଥାନ କରାଯିବା ପରେ ତାଙ୍କ ଦେଶ ଯୁଦ୍ଧଗ୍ରସ୍ତ ପାଲେଷ୍ଟାଇନ ଅଞ୍ଚଳ ଗାଜା ଷ୍ଟ୍ରିପ୍‌କୁ ନିଜ ଅକ୍ତିଆରକୁ ନେବ। ଏହାର ବିକାଶ କରିବ ଓ ଏହାର ମାଲିକ ହେବ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଏହି ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି ଏବଂ କହିଛନ୍ତି ଯେ ସେ ଗାଜା ଉପରେ ଆମେରିକାର ଦୀର୍ଘକାଳୀନ ମାଲିକାନା ଦେଖୁଛନ୍ତି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ରିପବ୍ଲିକାନ ନେତାଙ୍କ ଚିନ୍ତାଧାରା ଇତିହାସକୁ ବଦଳାଇ ଦେଇପାରେ ଏବଂ ଟ୍ରମ୍ପ ଗାଜା ପାଇଁ ଏକ ଭିନ୍ନ ଭବିଷ୍ୟତର ପରିକଳ୍ପନା କରିଛନ୍ତି। ଏହି ଘୋଷଣା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିବା ସହ ମଧ୍ୟପ୍ରାଚ୍ୟର ଭୂ-ରାଜନୈତିକ ଗତିଶୀଳତାକୁ ଯଥେଷ୍ଟ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି।

ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ଅକ୍ଟୋବର ୨୦୨୩ରୁ ଅସ୍ତ୍ରବିରତି ପର୍ଯ୍ୟନ୍ତ ଗାଜାରେ ରକ୍ତାକ୍ତ ଯୁଦ୍ଧରେ ଲିପ୍ତ ଥିଲେ। ଇସ୍ରାଏଲ ବୋମାମାଡ଼ ଯୋଗୁଁ ଏହି ଷ୍ଟ୍ରିପ୍‌ରେ ଥିବା ପ୍ରାୟ ସମସ୍ତ ଢାଞ୍ଚା ନଷ୍ଟ ହୋଇଯାଇଛି, ଯାହା ଫଳରେ ଏହା ବାସଯୋଗ୍ୟ ହୋଇ ରହିନାହିଁ ଏବଂ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ପୃଥିବୀର ଅନ୍ୟତମ ଜନବହୁଳ ଏହି ଅଞ୍ଚଳର ମୋଟ ଜନସଂଖ୍ୟା ପ୍ରାୟ ୨.୧ ନିୟୁତ।

ଟ୍ରମ୍ପ ଆହୁରି କହିଛନ୍ତି, ଆମେ ଗାଜାରେ ଥିବା ସମସ୍ତ ବିପଜ୍ଜନକ ଅବିସ୍ଫୋରିତ ବୋମା ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ନଷ୍ଟ କରିବୁ। ଆମେ ନଷ୍ଟ ହୋଇଥିବା କୋଠାଗୁଡ଼ିକୁ ସମତଳ କରିବୁ ଏବଂ ଅଞ୍ଚଳର ଅର୍ଥନୈତିକ ବିକାଶ କରିବୁ। ଅଞ୍ଚଳର ଲୋକଙ୍କ ପାଇଁ ଅସୀମିତ ସଂଖ୍ୟକ ନିଯୁକ୍ତି ସୃଷ୍ଟି ହେବ ଓ ସେମାନଙ୍କ ପାଇଁ ବାସଗୃହ ନିର୍ମିତ ହେବ। ଏହା ଏପରି ଏକ ଅଂଚଳ ହେବ ଯାହାକୁ ନେଇ ସମଗ୍ର ମଧ୍ୟପ୍ରାଚ୍ୟ ଗର୍ବ କରିବ ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ କହିଛନ୍ତି ଭବିଷ୍ୟତରେ ମଧ୍ୟପ୍ରାଚ୍ୟ ଗସ୍ତ ସମୟରେ ସେ ଗାଜା, ଇସ୍ରାଏଲ ଓ ସାଉଦି ଆରବ ଗସ୍ତ କରିବାକୁ ଯୋଜନା କରିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟ୍ରମ୍ପ ନୂଆ ଚିନ୍ତାଧାରା ସହିତ ଆଗକୁ ବଢ଼ିବାକୁ ଇଚ୍ଛା କରୁଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button