କେରଳରେ ନିପା ଭୂତାଣୁ ଆତଙ୍କ, ୨ ମୃତ – Ibnodisha

[ad_1]
ତିରୁଅନନ୍ତପୁରମ: କେରଳର କୋଜିକୋଡ୍ ଜିଲ୍ଲାରେ ନିପା ଭୂତାଣୁ ଆତଙ୍କ ଦେଖାଦେଇଥିବାବେଳେ ଏଥିରେ ଆକ୍ରାନ୍ତ ୨ ଜଣଙ୍କର ମୃତ୍ୟୁ ଘଟିଛି । ବିଗତ କିଛିଦିନ ମଧ୍ୟରେ ଏକ ଘରୋଇ ହସ୍ପିଟାଲରେ ଦୁଇଜଣଙ୍କର ଅସ୍ୱାଭାବିକ ଅବସ୍ଥାରେ ମୃତ୍ୟୁ ଘଟିବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ଆଲର୍ଟ ଜାରି କରାଯାଇଥିଲା । ନିପା ଭୂତାଣୁ ସଂକ୍ରମିତ ହୋଇଥିବାରୁ ଏମାନଙ୍କର ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହା ଜଣାପଡିବାପରେ କେରଳକୁ ଏକ କେନ୍ଦ୍ରୀୟ ଟିମ୍ ପଠାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ସୁଖ୍ ମାଣ୍ଡ୍ଭିଆ ସୂଚନା ଦେଇଛନ୍ତି । କେରଳ ସରକାରଙ୍କ ପକ୍ଷରୁ କୋଜିକୋଡ୍ରେ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଥିବାବେଳେ ମାସ୍କ୍ ପିନ୍ଧିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଆତଙ୍କିତ ନ ହୋଇ ସତର୍କତା ଅବଲମ୍ବନ କରିବାକୁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।
ମୃତକଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ତୁରନ୍ତ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ବିଜୟନ କହିଛନ୍ତି । ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ବ୍ୟବସ୍ଥାରେ ସହଯୋଗ କରିବାକୁ ମଧ୍ୟ ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ ୨୦୧୮ ଓ ୨୦୨୧ରେ କେରଳର କୋଜିକୋଡ୍ ଓ ମାଲାପୁରମ ଜିଲ୍ଲାରେ ନିପା ଭୂତାଣୁ ଆତଙ୍କ ଦେଖାଦେଇଥିଲା । ବାଦୁଡିରୁ ନିପା ଭୂତାଣୁ ସଂକ୍ରମିତ ହେଉଥିବାବେଳେ ଉଭୟ ମଣିଷ ଓ ପଶୁପକ୍ଷୀ ଏହାଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି । ନିପା ଭୂତାଣୁ ସଂକ୍ରମିତଙ୍କଠାରେ ଜ୍ୱର, ଆଣ୍ଠୁଗଣ୍ଠି ଓ ମୁଣ୍ଡବିନ୍ଧା, ଅଳସୁଆପଣ ଦେଖିବାକୁ ମିଳୁଥିବାବେଳେ କେତେକ କ୍ଷେତ୍ରରେ ଏଭଳି ରୋଗୀ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରିଥାନ୍ତି ।
[ad_2]