ରାଜ୍ୟ

ଘାତକ ହେଉଛି ଆଜ୍‌ମା: ବର୍ଷକରେ ନେଲାଣି ୩୩୪୮ ଜୀବନ – Ibnodisha

[ad_1]

ଭୁବନେଶ୍ବର : ଦିଲ୍ଲୀରେ ପ୍ରଦୂଷଣ ଉଦ୍‌ବେଗଜନକ ସ୍ଥିତିରେ ରହିଛି। ଏପଟେ ଓଡ଼ିଶାର ୭ଟି ସହରରେ ପ୍ରଦୂଷଣ ସ୍ଥିତି ମଧ୍ୟ ଉଦ୍‌ବେଗଜନକ ରହିଛି। ପ୍ରଦୂଷଣ ପାଇଁ ଯେଉଁ କେତୋଟି ରୋଗ ହୋଇଥାଏ ତହିଁରୁ ଆଜ୍‌ମା ଅନ୍ୟତମ। ରାଜ୍ୟରେ ଗତବର୍ଷ କେବଳ ଆଜ୍‌ମାରେ ୩୩୪୮ ଜୀବନ ଯାଇଛି। ସିଓପିଡି(କ୍ରୋନିକ୍‌ ଅବଷ୍ଟ୍ରକ୍ଟିଭ୍ ପଲମୋନାରି ଡିଜିଜ୍‌) ଜନିତ ମୃତ୍ୟୁ ବୃଦ୍ଧି କୁହାଯାଉଥିଲେ ହେଁ ଏ ସଂପର୍କିତ ବିଶେଷ ତଥ୍ୟ ନାହିଁ। ତେଣୁ ପ୍ରଦୂଷଣ ପାଇଁ ଓଡ଼ିଶାରେ ହଜାର ହଜାର ଜୀବନ ଯାଉଥିବା ବିଶେଷଜ୍ଞ ଦାବି କଲେଣି। ଜାତୀୟ ନିର୍ମଳ ବାୟୁ କାର୍ଯ୍ୟକ୍ରମ (ଏନ୍‌ସିଏପି) ଅଧୀନରେ ଭୁବନେଶ୍ବର, କଟକ, ଅନୁଗୁଳ, ରାଉରକେଲା, ତାଳଚେର, ବାଲେଶ୍ବର ଓ କଳିଙ୍ଗନଗରରେ ଅନୁଧ୍ୟାନ ଆରମ୍ଭ ହୋଇଛି। ଏକ୍ବ୍ୟୁଆଇ(ଏୟାର କ୍ବାଲିଟି ଇଣ୍ଡେକ୍ସ) ଯୋଗୁଁ ଏସବୁ ସହରରେ କେତେ ସଂଖ୍ୟକ ଆକ୍ବ୍ୟୁଟ୍‌ ରେସ୍ପିରେଟୋରି ଇଲନେସ୍‌(ଏଆରଆଇ) ବା ଶ୍ବାସ ରୋଗୀ ହସ୍ପିଟାଲକୁ ଆସୁଛନ୍ତି ତାହାର ତଥ୍ୟ ସଂଗ୍ରହ କରାଯାଉଛି। ଭୁବନେଶ୍ବରରେ କ୍ୟାପିଟାଲ ହସ୍ପିଟାଲ ସମେତ ଏମ୍‌ସ, କିମ୍‌ସ, ହାଇଟେକ୍‌ ଓ ସମ୍‌ ହସ୍ପିଟାଲ, କଟକରେ ଏସ୍‌ସିବି ଓ ଅଶ୍ବିନୀ, ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ତାଳଚେରସ୍ଥିତ ନେହରୁ ଶତାବ୍ଦୀ ସେଣ୍ଟ୍ରାଲ ହସ୍ପିଟାଲ, ରାଉରକେଲାରେ ଆରଜିଏଚ୍‌ ଓ ଆଇଜିଏଚ୍‌, ବାଲେଶ୍ବରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜ ଓ କଳିଙ୍ଗନଗରସ୍ଥିତ ହସ୍ପିଟାଲରୁ ଏଆର୍‌ଆଇ ରୋଗୀଙ୍କ ତଥ୍ୟ ସଂଗ୍ରହ ଚାଲିଛି। ଏହା କେନ୍ଦ୍ର ସରକାରଙ୍କ ଯୋଜନା। ହେଲେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରୁଛନ୍ତି। ପୂର୍ବରୁ ହସ୍ପିଟାଲମାନଙ୍କୁ ରୋଗୀଙ୍କ ସଂପର୍କିତ କାଗଜପତ୍ର ପ୍ରଦାନ ପାଇଁ କୁହାଯାଇଥିଲା। ଇତିମଧ୍ୟରେ ୨-୩ବର୍ଷ ହେବ, ଏହି କାର୍ଯ୍ୟକ୍ରମ ଜାରି ରହିଥିଲେ ହେଁ ଏଯାଏ ଏଆର୍‌ଆଇ ସଂପର୍କିତ ସଂପୂର୍ଣ୍ଣ ତଥ୍ୟ ମିଳିବା ସମ୍ଭବ ହୋଇନାହିଁ। ଏଣୁ ରାଜ୍ୟ ସରକାର ମୋବାଇଲ ଆପ୍‌ ଜରିଆରେ ରୋଗୀଙ୍କ ରିପୋର୍ଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ୭ଟି ସହରରେ ଏହାକୁ କାର୍ଯ୍ୟକାରୀ କରାଯାଇଥିବାରୁ ରାଜ୍ୟବ୍ୟାପୀ ଏଆର୍‌ଆଇର ଚିତ୍ର ମିଳିପାରୁନାହିଁ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଗତବର୍ଷ ଏହି କାର୍ଯ୍ୟପାଇଁ ହସ୍ପିଟାଲମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା। ଚଳିତବର୍ଷ ନଭେମ୍ବରରେ ପୁଣିଥରେ ତାଲିମ୍ କାର୍ଯ୍ୟକ୍ରମ କରାଯିବ। ଡିସେମ୍ବରଠାରୁ ରିୟଲ ଟାଇମ୍‌ ବା ନିର୍ଦ୍ଦିଷ୍ଟ ସମୟରେ ଏଆର୍‌ଆଇ ଜନିତ ରୋଗୀଙ୍କ ସଂପର୍କରେ ତଥ୍ୟ ଆସିବ। କିଛି ରାଜ୍ୟ ଏଆର୍‌ଆଇ ତଥ୍ୟ ପ୍ରଦାନ କରିବା ଆରମ୍ଭ କରିଛନ୍ତି। ଓଡ଼ିଶାରେ ଘରୋଇ ହସ୍ପିଟାଲମାନେ ତଥ୍ୟ ପ୍ରଦାନ କରିବାରେ ବିଳମ୍ବ ଯୋଗୁଁ ଓଡ଼ିଶାରେ ଏହା ବିଳମ୍ବିତ ହୋଇଛି। ତେବେ ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି। ହେଲେ ଏଥିରେ ନିର୍ଦ୍ଦିଷ୍ଟ ଭାବେ କେତେଜଣ ଆଜ୍‌ମା, ସିଓପିଡି ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି ତାହାର ତଥ୍ୟ ମିଳିବ ନାହିଁ ବୋଲି ଅଧିକାରୀ ଜଣକ ସ୍ପଷ୍ଟ କରିଛନ୍ତି। ପ୍ରଦୂଷଣକୁ ନେଇ ମେଦାନ୍ତ ହସ୍ପିଟାଲର ବରିଷ୍ଠ ଛାତିରୋଗ ବିଶେଷଜ୍ଞ ଡା.ଅରବିନ୍ଦ କୁମାରଙ୍କ କହିବା କଥା, ମୁଣ୍ଡଠାରୁ ଗୋଡ଼ ପର୍ଯ୍ୟନ୍ତ ମନୁଷ୍ୟ ଶରୀରର କୌଣସି ଅଙ୍ଗ ପ୍ରଦୂଷଣର ଖରାପ ପ୍ରଭାବରୁ ବର୍ତ୍ତି ପାରୁନାହିଁ। ପ୍ରଦୂଷଣ ପାଇଁ ମେଦବହୁଳତା ଓ ଆଜ୍‌ମା ହେଉଥିବା ପ୍ରମାଣିତ ହେଲାଣି। ମେଦବହୁଳତାର ଶିକାର କୌଣସି ବ୍ୟକ୍ତି ଯଦି ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ଆସିଥାନ୍ତି ସେତେବେଳେ ଆଜ୍‌ମାର ଆଶଙ୍କାକୁ ଯଥେଷ୍ଟ ବଢ଼ାଇ ଦେଉଛି। ଦିଲ୍ଲୀରେ ଲଙ୍ଗ୍‌ କେୟାର ଫାଉଣ୍ଡେସନ୍‌ ପକ୍ଷରୁ ୧୧ଶହ ଶିଶୁଙ୍କୁ ନେଇ ହୋଇଥିବା ସର୍ବେକ୍ଷଣରେ ଜଣାପଡ଼ିଛି ଯେ ପ୍ରତି ୩ଜଣରୁ ଜଣେ ଶିଶୁ ଆଜ୍‌ମାର ଶିକାର ହେଉଛନ୍ତି। ଆଉ ଯେଉଁ ଶିଶୁଙ୍କଠାରେ ମୋଟାପା ରହିଛି ଏହି ସଂଖ୍ୟା ଆହୁରି ବୃଦ୍ଧି ପାଉଛି ବୋଲି ଡା.କୁମାର କହିଛନ୍ତି। ଅଶ୍ବିନୀ ହସ୍ପିଟାଲର ଛାତିରୋଗ ବିଶେଷଜ୍ଞ ଡା.ସଂପତ ଦାଶ କହିଛନ୍ତି, ଦେଶରେ ପ୍ରଦୂଷଣ କେବଳ ବଡ଼ ସହରରେ ସୀମିତ ରହିନାହିଁ। ଟାୟାର-୨ ଓ ଟାୟାର-୩ ସହରରେ ନିଜର କାୟା ବିସ୍ତାର କଲାଣି। ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ପ୍ରଦୂଷଣକୁ ନେଇ ଯେଉଁ ତଥ୍ୟ ସଂଗ୍ରହ କରାଯାଇଥିଲା ତର୍ହିରୁ ଜଣାପଡ଼ିଛି ଯେ ପ୍ରତିବର୍ଷ ପ୍ରଦୂଷଣ ଜନିତ ସ୍ବାସ୍ଥ୍ୟ ସମସ୍ୟାରେ ୨୦% ବୃଦ୍ଧି ‌ନଜରକୁ ଆସଛି। ଏଥିରେ କୌଣସି ନିର୍ଦ୍ଦିଷ୍ଟ ବର୍ଗରେ ସୀମିତ ରହିନାହିଁ। ତେଣୁ କେନ୍ଦ୍ର ସରକାର ଏବେ ଛୋଟ ସହର ଉପରେ ଗୁରୁତ୍ବ ଦେବାକୁ ଆରମ୍ଭ କରିଛନ୍ତି। ପ୍ରଦୂଷଣ ପାଇଁ ବ୍ରୋଙ୍କାଇଟିସ୍, ସିଓପିଡି ଓ ଆଜ୍‌ମା ଦେଖା ଦେଇପାରେ। ତେବେ ଆଜ୍‌ମାକୁ ପ୍ରଦୂଷଣ ସହିତ ସିଧାସଳଖ ଯୋଡ଼ିବା ଠିକ୍ ହେବନହିଁ। ଏଥିପାଇଁ ଏକାଧିକ କାରଣ ଦାୟୀ ବୋଲି ଡା.ଦାଶ କହିଛନ୍ତି। ସେହିପରି ଛାତିରୋଗ ବିଶେଷଜ୍ଞ ଡା.ଅନିଲ ମହାନ୍ତିଙ୍କର କହିବା କଥା, ଆଜ୍‌ମାର ପ୍ରମୁଖ ଲକ୍ଷଣ ଭିତରେ ପ୍ରଦୂଷଣ ରହିଛି। ପ୍ରଦୂଷଣ ପାଇଁ କୌଣସି ଲୋକଙ୍କଠାରେ ଆଜ୍‌ମା ନ ଥିଲେ ବି ତାହା ସୃଷ୍ଟି କରିପାରେ। ଏହାସହ ଯାହାର ପୂର୍ବରୁ ଆଜ୍‌ମା ରହିଛି ତାହାକୁ ବଢ଼ାଇ ଦେଇପାରେ। ଆଜ୍‌ମାରେ କେବଳ କଫ ଦେଖିବାକୁ ମିଳି ନ ଥାଏ। ଏହା ଏକ ରିଭର୍ସିବୁଲ ରୋଗ ବା କମିଯାଏ। ମାତ୍ର ସିଓପିଡି ଓ ସିଓଏଡିରେ କଫ ବାହାରିଥାଏ। ତେବେ ଏହି ରୋଗ ଜୀବନବ୍ୟାପୀ ରହିଥାଏ। ଆଗକୁ ପ୍ରଦୂଷଣ ଜନିତ ସ୍ବାସ୍ଥ୍ୟ ସମସ୍ୟା ମୁଣ୍ଡବିନ୍ଧାର କାରଣ ପାଲଟିବ ବୋଲି ଡା.ମହାନ୍ତି କହିଛନ୍ତି। ଉଲ୍ଲେଖଥାଉକି, ରାଜ୍ୟରେ ସିଓପିଡି ଜନିତ ରୋଗ ସଂପର୍କରେ କୌଣସି ତଥ୍ୟ ନାହିଁ। କାରଣ ସମନ୍ବିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ(ଆଇଡିଏସ୍‌ପି) ଅଧୀନରେ ଏହା ଆସୁ ନ ଥିବାରୁ ସିଓପିଡିରେ କେତେ ଜଣ ପ୍ରାଣ ହରାଉଛନ୍ତି ତାହା ଜାଣି ହେଉନାହିଁ। ଆଇଡିଏସ୍‌ପିର ଯୁଗ୍ମ ନିର୍ଦେଶକ ଡା.ଅଶୋକ ପାଇକରାୟ କହିଛନ୍ତି, ଆଇଡିଏସ୍‌ପି ମୁଖ୍ୟତଃ ସଂକ୍ରମଣଜନିତ ରୋଗ ତଥ୍ୟ ସଂଗ୍ରହ କରିଥାଏ। ସିଓପିଡି ଏକ ଦୀର୍ଘକାଳୀନ ରୋଗ ହୋଇଥିବାରୁ ଏହା ଆଇଡିଏସ୍‌ପି ଅଧୀନରେ ଆସୁନାହିଁ। ତେବେ ପ୍ରଦୂଷଣ ପାଇଁ ଆଜ୍‌ମା ବଢ଼ିପାରେ ଓ ଲୋକଙ୍କଠାରେ ଆଜ୍‌ମା ସୃଷ୍ଟି ହୋଇପାରେ ବୋଲି ଡା.ପାଇକରାୟ ସୂଚନା ଦେଇଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button