ରାଜ୍ୟ

ଲଗାଣ ବର୍ଷାରେ ଉତ୍ତର ବାଲେଶ୍ଵର ଜଳମଗ୍ନ: ବିପଦସଙ୍କୁଳ ଅବସ୍ଥାରେ ଜଳକା

ଳେଶ୍ଵର: ଗତ ୪ ଦିନ ଧରି ଲଗାଣ ବର୍ଷା ହେବା ଯୋଗୁଁ ଉତ୍ତର ବାଲେଶ୍ଵରର ବିଭିନ୍ନ ତଳିଆ ଅଞ୍ଚଳ ଗତକାଲି ଠାରୁ ଜଳମଗ୍ନ ହେବାରେ ଲାଗିଛି। କେବଳ ଜଳେଶ୍ବର ଅଞ୍ଚଳରେ ଗତ ୧୩ ତାରିଖ ପୂର୍ବାହ୍ନ ୮ ଟା ରୁ ଆଜି ସକାଳ ୮ ଟା ଯାଏଁ ଏହି ୭୨ ଘଣ୍ଟା ମଧ୍ୟରେ ଜଳେଶ୍ଵର ରେ ୨୪୭ ଏମଏମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଉତ୍ତର ବାଲେଶ୍ଵର ଦେଇ ପ୍ରବାହିତ ଦୁଇ ନଦୀ ଖରସ୍ରୋତା ସୁବର୍ଣ୍ଣରେଖା ଓ ଜଳକା ନଦୀରେ ବନ୍ୟା ପରିସ୍ଥିତି।

ଜଳକା ଗତକାଲି ରାତିରୁ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ମଥାନୀ ଠାରେ ନଦୀର ବିପଦ ସଂକେତ ୬.୫୦ ମିଟର ରହିଥିବା ବେଳେ ଆଜି ସକାଳ ୬ଟା ସୁଦ୍ଧା ଏଠାରେ ୬.୬୭ ମିଟର ନଦୀର ଜଳ ପତ୍ତନ ରହିଛି। ଜଳକାରେ ବନ୍ୟା ଯୋଗୁଁ ବସ୍ତା ଓ ବାଲେଶ୍ଵର ସଦର ବ୍ଲକର ହଜାର ଏକର ଚାଷ ଜମି ଉପରେ ପାଣିର ସୁଅ ଚାଲିଛି। ସେହିପରି ନଦୀ ତଟବର୍ତ୍ତୀ ଅଞ୍ଚଳର ୩୦ରୁ ଅଧିକ ଗାଁ ପାଣି ଘେରରେ ରହିଛି। ବନ୍ୟା ପାଣିରେ ବସ୍ତା ବ୍ଲକ ତଳ ତାପର୍ଣ୍ଣା ଗ୍ରାମର ରମେଶ ରାଉଳଙ୍କ ଘର ଭାଙ୍ଗି ଯାଇଛି। ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖରସ୍ରୋତା ସୁବର୍ଣ୍ଣରେଖା ନଦୀ ଅବବାହିକା ଅଞ୍ଚଳରେ ରହିଥିବା ଫେକଘାଟରେ ଗତକାଲି ସକାଳ ସୁଦ୍ଧା ସର୍ବାଧିକ ୧୨୧.୬ ଏମଏମ,ରାଜଘାଟରେ ୧୧୮.୮ ଏମଏମ,ଘାଟଶିଳା ରେ ୯୭.୨ ଏମଏମ,ଜାମଶୋଳାଘାଟ ରେ ୮୦.୦ ଏମଏମ ଓ ଜାମସେଦପୁର ରେ ୨୭.୮ ଏମଏମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଗତକାଲି ରାତି ୯ ଟା ସୁଦ୍ଧା ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ୬.୪୯ ମିଟର ଓ ଜାମଶୋଳା ଘାଟ ଠାରେ ୪୭.୪୬୦ ମିଟର ରେ ପ୍ରବାହିତ ହେଉଥିବାର କେନ୍ଦ୍ର ଜଳ କମିଶନଙ୍କ ଦ୍ଵାରା ପରିଚାଳିତ ରାଜଘାଟ ସ୍ଥିତ ବନ୍ୟା ପୂର୍ବାନୁମାନ କେନ୍ଦ୍ର ସୂଚନା ଦେଇଛି।

ପୁଣି ଦୁଇ ଦିନ ଧରି ସୁବର୍ଣ୍ଣରେଖା ନଦୀର ଉପର ମୁଣ୍ଡରେ ମୁଷଳ ଧାରାରେ ବର୍ଷା ଲାଗି ରହିଥିବାରୁ ଗାଲୁଡିହି ବ୍ୟାରେଜ ଓ ଚାନ୍ଦଲି ଡ଼୍ୟାମର ପାଣିସ୍ତର ହୁ ହୁ ହୋଇ ବୃଦ୍ଧି ପାଉଛି। ଆଗକୁ ବର୍ଷା ନ କମିଲେ ଜଳକା ପରି ସୁବର୍ଣ୍ଣରେଖାରେ ମଧ୍ୟ ବନ୍ୟା ପରିସ୍ଥିତି ଉତ୍କଟ ଆକାର ଧାରଣ କରିବ ବୋଲି ଜଳସମ୍ପଦ ବିଭାଗର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ଲଗାଣ ବର୍ଷା ଯୋଗୁଁ ବାଲେଶ୍ବର ଜିଲ୍ଲାର ଜଳେଶ୍ବର, ଭୋଗରାଇ, ବସ୍ତା ଓ ବାଲିଆପାଳ ବ୍ଲକର ତଳିଆ ଅଞ୍ଚଳରେ ଥିବା ୫୬ଟି ପଞ୍ଚାୟତର ୨୬୪ ଟି ଗାଁ ଏବଂ ଜଳେଶ୍ଵର ମ୍ୟୁନିସିପାଲିଟିର ୧୭ ଟି ଓ୍ବାର୍ଡ ଜଳବନ୍ଦୀ ସମସ୍ୟା। ବହୁ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଧାନ ଚାଷ ଜମି ପନିପରିବା ଚାଷ ଉଜୁଡ଼ି ଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button