ରାଜନୀତି

ବିନା ସଭାପତିରେ ୨ ମାସ ହେଲା ଗୁରୁଣ୍ଡୁଛି ରାଜ୍ୟ କଂଗ୍ରେସ

ଭୁବନେଶ୍ୱର : ରାଜ୍ୟରେ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ନିଜର ସାଂଗଠନିକ କାର୍ଯ୍ୟ ଜୋରଦାର କରିଛନ୍ତି। ଏହି କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ସହ ଗତ ୨୬ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ଆସିଥିଲେ। ସେ ଦଳର ସଂଗଠନକୁ ସୁଦୃଢ଼ କରିବା ନେଇ ବରିଷ୍ଠ ନେତାଙ୍କ ସହ ବୈଠକ ମଧ୍ୟ କରିଛନ୍ତି।

ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ କ୍ରମାଗତ ଭାବେ ଜିଲ୍ଲାୱାରୀ ଦଳର ନେତୃତ୍ୱଙ୍କ ସହ ଆଲୋଚନା କରି ସଂଗଠନ ବିଷୟରେ ସମୀକ୍ଷା କରୁଛି। ଏହାସହିତ ଦଳ ପକ୍ଷରୁ ୨୭ ତାରିଖରେ ରାଜ୍ୟସ୍ତରୀୟ ସାଂଗଠନିକ ବୈଠକ ସହ ଅକ୍ଟୋବର ୨ରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ୨ ଦଳର କାର୍ଯ୍ୟକୁ ଦେଖିଲେ କଂଗ୍ରେସ ସ୍ଥିତି ଗୁରୁଣ୍ଡିବା ଭଳି ମନେ ହେଉଛି।

ରାଜ୍ୟରେ ଦୀର୍ଘ ସମୟ ଧରି କଂଗ୍ରେସ ନେତୃତ୍ୱବିହୀନ ହୋଇ ଗତି କରୁଛି। ଏଆଇସିସି ପକ୍ଷରୁ ରାଜ୍ୟ ପାଇଁ ନୂଆ ନେତୃତ୍ୱ ଘୋଷଣା ହେଉ ନ ଥିବାରୁ ଦୁଇ ମାସରୁ ଊଦ୍ଧ୍ୱର୍ ସମୟ ହେବ ପିସିସି ସଭାପତି ଚୌକି ଖାଲି। ରାଜ୍ୟ ମୁଖିଆ ଓ ପଦାଧିକାରୀଙ୍କ ବିନା ରାଜ୍ୟରେ କଂଗ୍ରେସର କାର୍ଯ୍ୟକଳାପ ମନ୍ଥର। ଅନ୍ୟପଟେ ପିସିସି ଭଙ୍ଗ ପରେ ଓଡ଼ିଶା ପାଇଁ ପ୍ରଭାରୀ ଅଜୟ କୁମାରଙ୍କ ନେତୃତ୍ୱରେ ଗଠନ ହୋଇଥିବା ୧୪ ଜଣିଆ ଷ୍ଟିୟରିଂ କମିଟି ଗୋଟିଏ ବୈଠକ ଓ ଇଡି ଅଫିସ୍‌ ଘେରଉରେ ନିଜର କାମ ସାରି ଦେଇଛି। ଯାହାର ପରିଣାମ ସ୍ୱରୂପ ରାଜ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଂଗ୍ରେସ ଦିଶାହୀନ ଦୃଶ୍ୟମାନ ହେଉଛି। ଷ୍ଟିୟରିଂ କମିଟି ବୈଠକ ପରେ ମାସେରୁ ଦେଢ଼ ମାସ ମଧ୍ୟରେ ନୂଆ ସଭାପତିଙ୍କ ନାଁ ଘୋଷଣା ସହ ସମ୍ପୂର୍ଣ୍ଣ ପିସିସି ଗଠନ ହେବ ବୋଲି କଂଗ୍ରେସ ପକ୍ଷରୁ ଏକାଧିକ ନେତା କହିଥିଲେ। ହେଲେ ଦେଢ଼ ମାସ ଯାଇ ଦୁଇ ମାସ ବିତିବାକୁ ବସିଲାଣି ତଥାପି ପିସିସି ସଭାପତି ମନୋନୟନ ହୋଇ ପାରୁନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button