ଶାସ୍ତ୍ର ବିରୋଧୀ ଓ ଜନବିରୋଧୀ କାର୍ଯ୍ୟ କରୁଛି ଇସ୍କନ: ଗଜପତି ମହାରାଜା
ସମାଜ ଡିଜିଟାଲ ଡେସ୍କ: ଆଗାମୀ ୯ ତାରିଖରେ ଆମେରିକାର ହ୍ୟୁଷ୍ଟନ ସହରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ଆୟୋଜନ କରୁଥିବା ଇସ୍କନ ଶାସ୍ତ୍ର ବିରୋଧୀ ଏବଂ ଜନବିରୋଧୀ କାର୍ଯ୍ୟ କରୁଛି ବୋଲି କହିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସୋମବାର ଏକ ଖବରଦାତା ସମ୍ମିଳନୀରେ ଗଜପତି ମହାରାଜା ଇସ୍କନର ଏହି କାର୍ଯ୍ୟକୁ ନାପସନ୍ଦ କରିବା ସହିତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଶାସ୍ତ୍ରରେ ଲେଖାଥିବା ନିୟମ ଉଲ୍ଲଂଘନ କରିବା ଠିକ ନୁହେଁ ବୋଲି ଗଜପତି କହିଛନ୍ତି। ଲୋକଙ୍କ ବିରୋଧ ଯୋଗୁ ନିକଟରେ ଗତ ୩ ତାରିଖରେ ହେବାକୁ ଥିବା ସ୍ନାନ ଯାତ୍ରାକୁ ଇସ୍କନ ବନ୍ଦ କରିଥିଲା।
ଗଜପତି କହିଥିଲେ, ଇସ୍କନ କେବେ ବି ଶ୍ରୀମନ୍ଦିରର ନିୟମ ମାନିନାହିଁ। ରଥଯାତ୍ରା ବନ୍ଦ କରିବାକୁ ଚିଠି ଲେଖିବା ସତ୍ବେ ସେମାନେ ଶୁଣିଲେ ନାହିଁ। ଅଦିନରେ ରଥଯାତ୍ରା ଆୟୋଜନ କରାଯାଉଛି। ଗତ ୩ ତାରିଖରେ ସ୍ନାନଯାତ୍ରାକୁ ବାତିଲ କଲେ, କିନ୍ତୁ ରଥଯାତ୍ରା ଆୟୋଜନ କରୁଛନ୍ତି। ଅଦିନିଆ ରଥଯାତ୍ରା ମହାପ୍ରଭୁଙ୍କ ପରମ୍ପରାର ଉଲ୍ଲଂଘନ। ଇସ୍କନର ଉଚ୍ଚ କର୍ତ୍ତୃପକ୍ଷ ଭୁଲ ସୁଧାରିବେ ବୋଲି ମୋର ଆଶା ରହିଥିବା ଗଜପତି କହିଛନ୍ତି।
ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ତଥା ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଲିଖିତ ପରାମର୍ଶକୁ ଇସ୍କନ ହ୍ୟୁଷ୍ଟନ ଶାଖା ଗ୍ରହଣ କରିନାହିଁ। ଚଳିତ ମାସ ୩ ତାରିଖରେ ଅଦିନିଆ ସ୍ନାନଯାତ୍ରା ଆୟୋଜନ ପାଇଁ ଇସ୍କନ କରିଥିବା ଘୋଷଣାରୁ ଓହରିଥିଲେ ମଧ୍ୟ ରଥଯାତ୍ରା ଜିଦ୍ରେ ଅଟଳ ଥିବା ଜଣାପଡିଛି। ଶ୍ରୀମନ୍ଦିରରେ ପାଳିତ ବିଧି ବିଧାନ ଅନୁଯାୟୀ ନିର୍ଦ୍ଧାରିତ ତିଥିରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କରିବାକୁ ଗଜପତି ମହାରାଜା ଏହା ପୂର୍ବରୁ ଇସ୍କନକୁ ଚିଠି ଲେଖି ପରାମର୍ଶ ଦେଇଥିଲେ। ଏସବୁ ସତ୍ତ୍ୱେ ଅଦିନିଆ ରଥଯାତ୍ରା ଜିଦରେ ଇସ୍କନ ହୋଷ୍ଟନ ଶାଖା ଅଟଳ ରହିବାରୁ ଶ୍ରୀଜଗନ୍ନାଥ ମନ୍ଦିର ସମେତ ଦେଶ ବିଦେଶର ଜଗନ୍ନାଥ ମନ୍ଦିର ଗୁଡିକରେ ଇସ୍କନ କର୍ମୀଙ୍କୁ ବାସନ୍ଦ କରାଯିବ ବୋଲି ବରିଷ୍ଠ ଦଇତାପତି ସେବକ ଡଃ ଦୁର୍ଗା ପ୍ରସାଦ ଦାସ ମହାପାତ୍ର ଚେତାବନୀ ଦେଇଛନ୍ତି