ରାଜ୍ୟ

ମାଫିଆ ଙ୍କ କବ୍ଜା ରେ ବାଗୁଡି ପାହାଡ ର ଖାଦାନ

ସୋର: ସୋର ତହସିଲ ଅଧୀନ ମହୁମୁହାଣ ଓ ଖଞ୍ଜାମାହାଲ ରାଜସ୍ବ ଗ୍ରାମରେ ବାଗୁଡ଼ି ପାହାଡ଼ ନାମରେ ଥିବା ପଥର ଖାଦାନରୁ ୨୦୧୫-୧୬ ଆର୍ଥିକ ବର୍ଷରେ ୫ ବର୍ଷିଆ ଲିଜ୍ ପ୍ରକ୍ରିୟା ଆରମ୍ଭ ହୋଇ ପ୍ରଥମ ପର୍ଯ୍ୟାୟରେ ୬୩ଟି ଖାଦାନ ଲିଜଧାରୀଙ୍କୁ ପ୍ରଦାନ କରା ଯାଇଥିଲା। ସେମାନଙ୍କ ମଧ୍ୟରୁ ପଥର ଉତ୍ତୋଳନ ପାଇଁ ୧୮ଟି ଖାଦାନର ଲିଜଧାରୀ ଆବଶ୍ୟକ କାଗଜପତ୍ର ପ୍ରଦାନ କରିବା ପରେ ଆଇନଗତ ଭାବେ ପଥର ଖନନ ଆରମ୍ଭ ହୋଇଥିଲା। ତେବେ ଏହାକୁ ବେଆଇନ୍ ଦର୍ଶାଇ କିଛି ସ୍ଥାନୀୟ ଲୋକେ ଏନଜିଟିର ଦ୍ବାରସ୍ଥ ହୋଇଥିଲେ। ପଥର ଉତ୍ତୋଳନ ଉପରେ ଏନଜିଟି ରହିତାଦେଶ ଜାରି କରିବାରୁ ୨୦୧୬-୧୭ରେ ସମସ୍ତ ଖାଦାନ ବନ୍ଦ ରହିଥିଲା।ରହିତାଦେଶ ହଟିବା ପରେ ୨୦୧୭-୧୮ରେ କେବଳ ୫୧ଟି ଖାଦାନର ଲିଜଧାରୀ ଆବଶ୍ୟକ କାଗଜପତ୍ର ଦାଖଲ କରି ପଥର ଉତ୍ତୋଳନ ପାଇଁ ଅନୁମତି ପାଇଥିଲେ। ଏଥି ସହ ୨୦୧୯-୨୦ରେ ଆଉ ୨ଟି ନୂତନ ଖାଦାନ ଲିଜ୍ କରା ଯାଇଥିଲେ ମଧ୍ୟ ଏସବୁ ଖାଦାନରୁ ପଥର ଉତ୍ତୋଳନ ପାଇଁ ପରିବେଶ ମଞ୍ଜୁରି ମିଳିନଥିଲା। ବାଗୁଡ଼ି ପାହାଡ଼ର ସବୁ ଖାଦାନଗୁଡ଼ିକ ୫ଶହ ମିଟର ପରିସୀମା ମଧ୍ୟରେ ରହିଥିବାରୁ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ସିଆ ପକ୍ଷରୁ ଏସବୁ ଖାଦାନକୁ ଗୋଟିଏ କ୍ଲଷ୍ଟର ମଧ୍ୟରେ ରଖିବାକୁ ରାଜସ୍ବ ବିଭାଗକୁ ଦିଆଯାଇଥିବା ପରାମର୍ଶ ଆଧାରରେ ମାଇନିଂ ଓ ରାଜସ୍ବ ବିଭାଗର ମିଳିତ ସର୍ବେକ୍ଷଣ ପରେ ୪୨ଟି ଖାଦାନ କାର୍ଯ୍ୟକ୍ଷମ ହୋଇଥିଲା।ଏହି ସର୍ବେକ୍ଷଣ ସମୟରେ ୨୩ଟି ଖାଦାନ ମାଲିକ ବେଆଇନ୍ ଭାବେ ଅଧିକ ପଥର ଉତ୍ତୋଳନ କରିବାରୁ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବା ସହ ଖାଦାନ ବନ୍ଦ ରଖିବାକୁ ସ୍ଥାନୀୟ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ଏ ବାବଦକୁ କିଛି ଲିଜଧାରୀଙ୍କଠାରୁ ୭ କୋଟିଟଙ୍କାର ଜରିମାନା ରାଶି ଆଦାୟ କରାଯାଇଥିବା ବେଳେ ଅନ୍ୟମାନେ ଅଦ୍ୟାବଧି ଜରିମାନା ଟଙ୍କା ପୈଠ କରୁନଥିବାରୁ ସେମାନଙ୍କ ଖାଦାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହିତ କରୋନା ସମୟରେ ବର୍ଷେ ୮ମାସ ଖାଦାନ ବନ୍ଦ ଥିବାରୁ ଲିଜ୍ ଅବଧି ବଢ଼ାଇବା ପାଇଁ କିଛି ଲିଜଧାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ମାମଲା କୋର୍ଟରେ ଏବେ ବିଚାରାଧୀନ ଅଛି। ବର୍ତ୍ତମାନ ମାତ୍ର ୧୨ଟି ଖାଦାନର ଲିଜଧାରୀ ଆବଶ୍ୟକ କାଗଜପତ୍ର ଦାଖଲ କରି ଖନନ ପାଇଁ ଅନୁମତି ପାଇଛନ୍ତି। ବନ୍ଦ ଖାଦାନରେ ବେଆଇନ୍ ଭାବେ ପଥର ଉତ୍ତୋଳନ ହେଉଥିବା ବେଳେ ରାଜସ୍ବ ବିଭାଗ ପକ୍ଷରୁ ଜୋରଦାର ଚଢ଼ଉ କରାଯାଉଛି।

ରାଜ୍ୟ ସରକାର ଏହି ଖାଦାନକୁ ଗୋଟିଏ କ୍ଲଷ୍ଟର ଅଧୀନକୁ ଆଣି ଆବଶ୍ୟକ ଲିଜ୍ ପ୍ରକ୍ରିୟା ପରେ ପଥର ଉତ୍ତୋଳନ ପାଇଁ ଅନୁମତି ପ୍ରଦାନ କଲେ ବେଆଇନ୍ ଚାଲାଣ ରୋକି ହେବା ସହ ବିପୁଳ ରାଜସ୍ବ ସରକାରଙ୍କ ତହବିଲକୁ ଆସିପାରନ୍ତା ବୋଲି ଅଞ୍ଚଳର ବୁଦ୍ଧିଜୀବୀ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button