ଦେଶ

ମୋବାଇଲ୍‌ରେ ମିଳିବ ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୂଚନା – Ibnodisha

[ad_1]

ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୂଚନା ମୋବାଇଲରେ ସିଧାସଳଖ ଉପଲବ୍ଧ ହେବ। ବିପର୍ଯ୍ୟୟ ଆଶଙ୍କା ଥିବା ଜିଲ୍ଲା କିମ୍ବା ରାଜ୍ୟର ମୋବାଇଲ ଉପଭୋକ୍ତାଙ୍କ ପର୍ଯ୍ୟନ୍ତ ଚେତାବନୀ ପହଞ୍ଚିବ। ବିପର୍ଯ୍ୟୟ ସଂପର୍କରେ ତ୍ବରିତ ସତର୍କ କରିବା ପାଇଁ ସାଇରନ୍ ଶବ୍ଦ ହେବ ଯାହା ଲୋକଙ୍କୁ କୌଣସି ପ୍ରତିକୂଳ ସ୍ଥିତିର ମୁକାବିଲା ପାଇଁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବ। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଏନଡିଏମଏ) ଦ୍ବାରା ଜରୁରୀକାଳୀନ ସେଲ୍ ବ୍ରଡ୍‌କାଷ୍ଟ ଟେକ୍ନୋଲୋଜିର ପରୀକ୍ଷଣ ଆରମ୍ଭ କରାଯାଇଛି। ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଟେଲିମେଟିକ୍ସ(ସି-ଡାଟ) ତରଫରୁ ବିକଶିତ ଟେକ୍ନୋଲୋଜି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ ସତର୍କ କରାଇବ। ପ୍ରୟୋଗାତ୍ମକ ରୂପେ କରାଯାଇଥିବା ପରୀକ୍ଷଣ ବାର୍ତ୍ତା ଗତକାଲି ଜିୟୋ ଓ ବିଏସଏନଏଲ ଉପଭୋକ୍ତାଙ୍କୁ ପଠାଯାଇଛି।

ସି-ଡାଟ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଏହି ଟେକ୍ନୋଲୋଜି ଦ୍ବାରା ଲକ୍ଷାଧିକ ଲୋକଙ୍କୁ ଏକାଥରକେ ବ୍ରଡ୍‌କାଷ୍ଟ ମେସେଜ ପଠାଯାଇପାରିବ। ଏଥିରେ ଓଡ଼ିଆ ଭାଷା ସମେତ ୧୯ଟି ଭାଷାର ଉପଭୋକ୍ତାଙ୍କ ନିକଟରେ ବାର୍ତ୍ତା ପହଞ୍ଚିବ। ଏହି ଟେକ୍ନୋଲୋଜି ଜରିଆରେ ମୋବାଇଲ, ଟିଭି, ରେଡିଓ, ଏଫ୍‌ଏମ୍‌ରେ ମଧ୍ୟ ବାର୍ତ୍ତା ପ୍ରସାରିତ ହୋଇପାରିବ। ଯେଉଁ ଅଞ୍ଚଳରେ ଏହାର ଆବଶ୍ୟକତା ନଥିବ ସେଠାକାର ଉପଭୋକ୍ତାଙ୍କ ନିକଟକୁ ବାର୍ତ୍ତା ଯିବନାହିଁ। ସେହିଭଳି କେନ୍ଦ୍ରୀୟ ଜଳ ଆୟୋଗ ରିୟଲ ଟାଇମ ଫ୍ଲଡ୍‌ ଅପଡେଟ୍‌ ପାଇଁ ଫ୍ଲଡୱାଚ୍‌ ଆପ୍‌ ଆରମ୍ଭ କରିଛନ୍ତି। ବନ୍ୟା ସଂପର୍କିତ ଆଗୁଆ ସୂଚନାକୁ ଉକ୍ତ ଆପ ଜରିଆରେ ଲିଖିତ ଓ ଅଡିଓ ମାଧ୍ୟମରେ ପ୍ରସାରିତ କରାଯିବ। ଓଡ଼ିଶା ସମେତ ଦେଶର ୨୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୩୮ଟି ଷ୍ଟେସନରୁ ବନ୍ୟା ଅପଡେଟ୍‌ ସମ୍ବନ୍ଧୀୟ ସୂଚନା ହାସଲ କରାଯାଇ ମୋବାଇଲ ଫୋନ ଜରିଆରେ ପ୍ରସାରିତ କରାଯିବ। ବନ୍ୟା ଜନିତ କ୍ଷୟକ୍ଷତିକୁ ନିୟନ୍ତ୍ରଣ କରିବା ପାଇଁ ‌‌‌କେନ୍ଦ୍ରୀୟ ଜଳ ଆୟୋଗଙ୍କ ପକ୍ଷରୁ ଉକ୍ତ ଆପ୍‌ ବିକଶିତ କରାଯାଇଛି। ବର୍ତ୍ତମାନ ଉକ୍ତ ଆପ୍‌ ଇଂରାଜୀ ଓ ହିନ୍ଦୀ ଭାଷାରେ ଅପଡେଟ ପ୍ରଦାନ କରିବ। ଖୁବ ଶୀଘ୍ର ଏହା ଦେଶର ସମସ୍ତ ଆଂଚଳିକ ଭାଷାରେ ସୂଚନା ପ୍ରଦାନ କରିବ ବୋଲି କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ କୁହାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button