ଚନ୍ଦ୍ରରେ ତଥ୍ୟ ସାଉଁଟୁଛି ‘ପ୍ରଜ୍ଞା’ – Ibnodisha

[ad_1]

ବେଙ୍ଗାଲୁରୁ: ଭାରତର ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପ୍ରଜ୍ଞା ରୋଭରକୁ ଗୁରୁବାର ସଫଳଭାବେ ଚନ୍ଦ୍ରପୃଷ୍ଠରେ ମୁତୟନ କରାଯାଇଛି। ଗତକାଲି ଚନ୍ଦ୍ରର ଦକ୍ଷିଣମେରୁରେ ଲ୍ୟାଣ୍ଡର ବିକ୍ରମର ସଫଳ ଅବତରଣ ପରେ ଛଅ ଚକବିଶିଷ୍ଟ ‘ପ୍ରଜ୍ଞା’ ଏଥିରୁ ବାହାରି ଚନ୍ଦ୍ରରେ ଗଡ଼ିବା ସହିତ ତଥ୍ୟ ସଂଗ୍ରହ ଆରମ୍ଭ କରିଛି। ଇସ୍ରୋ ପକ୍ଷରୁ ଏକ୍ସ (ଟ୍ବିଟର)ରେ କୁହାଯାଇଛି, ଚନ୍ଦ୍ରଯାନ-୩ର ରୋଭର ଲ୍ୟାଣ୍ଡରରୁ ବାହାରିଛି ଏବଂ ଚନ୍ଦ୍ରରେ ଭାରତ ପ୍ରଥମ ପଦଚାରଣ କରିବାରେ ସଫଳ ହୋଇଛି।’ ମିସନ ସମ୍ବନ୍ଧରେ ଆଗକୁ ନିୟମିତ ଅପ୍ଡେଟ୍ ଦିଆଯିବ ବୋଲି ଇସ୍ରୋ କହିଛି। ରୋଭର ହେଉଛି ଏକ ମାଇକ୍ରୋୱେଭ୍ ଓଭେନ୍ ଆକାରର ଯନ୍ତ୍ର। ଏହାକୁ ଚନ୍ଦ୍ରପୃଷ୍ଠରେ ୫୦୦ ମିଟର (୧,୬୪୦ ଫୁଟ୍) ପର୍ଯ୍ୟନ୍ତ ଚାଲିବା ପାଇଁ ଡିଜାଇନ କରାଯାଇଛି। ଏହା ଚନ୍ଦ୍ରର ଭୂତତ୍ତ୍ବ, ଖଣିଜତତ୍ତ୍ବ ଓ ବାୟୁମଣ୍ଡଳ ଉପରେ ପରୀକ୍ଷାନିରୀକ୍ଷା କରିବ। ଏହା ୧୪ ଦିନ ପର୍ଯ୍ୟନ୍ତ କାମ କରିବ। ଏହି ସମୟ ମଧ୍ୟରେ ଚନ୍ଦ୍ରର ଦକ୍ଷିଣମେରୁ ସଂପର୍କରେ ଏହା ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବ।
ଚନ୍ଦ୍ରର ଦକ୍ଷିଣ ମେରୁରେ ଅବସ୍ଥାପିତ ହେବାରେ ‘ପ୍ରଜ୍ଞା’ ହେଉଛି ଏ ଧରଣର ପ୍ରଥମ ରୋଭର। ଏଥିରେ କ୍ୟାମେରା, ସ୍ପେକ୍ଟ୍ରୋମିଟର ଓ ମ୍ୟାଗ୍ନେଟୋମିଟର ଆଦି ଅନେକ ଯନ୍ତ୍ର ଖଞ୍ଜାଯାଇଛି। ଏହା ଚନ୍ଦ୍ରପୃଷ୍ଠରେ ଚନ୍ଦ୍ର ମୃତ୍ତିକାର ଗଠନ, ଖଣିଜତତ୍ତ୍ବ ଓ ଇତିହାସ ଆଦି ଉପରେ ଗବେଷଣା କରିବ। ଏହା ଚନ୍ଦ୍ରରେ ଗୋଟିଏ ଦିନ ବା ପୃଥିବୀର ୧୪ ଦିନ ଯାଏ କାର୍ଯ୍ୟ କରିବ। ଏହା ସୋଲାର ପ୍ୟାନେଲ ମାଧ୍ୟମରେ ସୂର୍ଯ୍ୟଙ୍କ କିରଣରୁ ଶକ୍ତି ଆହରଣ କରି କାର୍ଯ୍ୟ କରିବ ଏବଂ ଚନ୍ଦ୍ରଯାନ-୩ର ଅରବିଟର ସହ ଯୋଗାଯୋଗ ରଖିବ। ଚନ୍ଦ୍ରଯାନ-୩ ମିସନ୍ ସଂକ୍ରାନ୍ତ ସମସ୍ତ କାର୍ଯ୍ୟ ଧାର୍ଯ୍ୟ ମୁତାବକ ଚାଲିଛି ଏବଂ ସମସ୍ତ
ଯନ୍ତ୍ରାଂଶ ସ୍ବାଭାବିକ ଭାବେ କାମ କରୁଛି ।
ଇସ୍ରୋ (ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ) ଆଜି ଏକ୍ସ (ପୂର୍ବର ଟ୍ବିଟର)ରେ ଏହା ସ୍ପଷ୍ଟ କରିଛି। ଇସ୍ରୋ ଅନୁଯାୟୀ ସମସ୍ତ ଯନ୍ତ୍ରାଂଶ ସ୍ବାଭାବିକ ରହିଛି। ଲ୍ୟାଣ୍ଡର ମୋଡ୍ୟୁଲ୍ ପେଲୋଡ୍ସ ଆଇଏଲଏସ୍ଏ, ରମ୍ଭା ଏବଂ ଚେଷ୍ଟ୍ କାର୍ଯ୍ୟ ସଞ୍ଚାଳନ ଆରମ୍ଭ କରିଛି ଏବଂ ରୋଭର ମୋବିଲିଟି ଅପରେସନ୍ ମଧ୍ୟ ଠିକ୍ଠାକ୍ ଚାଲିଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସବୁକିଛି ସୁରୁଖୁରୁରେ ଚାଲିଥିବାରୁ ଏହି ମୁନ୍ ମିସନ ତଥ୍ୟ ପ୍ରେରଣ ଏବଂ ବୈଷୟିକ ଦିଗରୁ ଶତ ପ୍ରତିଶତ ସଫଳ ହେବ ବୋଲି କୁହାଯାଉଛି। ଇସ୍ରୋର ଏହି ସଫଳତା ପରେ ନାସା, ୟୁରୋପୀୟ ସ୍ପେସ୍ ଏଜେନ୍ସି ଏବଂ ଜାପାନର ସ୍ପେସ୍ ସଂସ୍ଥା ଇସ୍ରୋ ସହ ବିଭିନ୍ନ ପ୍ରକଳ୍ପରେ ଅଂଶୀଦାର ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଆଜି ମଧ୍ୟ ବୈଶ୍ବିକ ଗଣମାଧ୍ୟମରେ ଚନ୍ଦ୍ରଯାନ ୩ର ସଫଳତା ଚର୍ଚ୍ଚାରେ ରହିଛି ।
[ad_2]