ରାଜ୍ୟ

ଠେଙ୍ଗାଯୁଦ୍ଧ: ମାୟାଧର ନାୟକ – Ibnodisha

[ad_1]

ଆଜିକାଲି ଗୁଣ୍ଡା ପୋଷିବା ବ୍ୟୟବହୁଳ ହୋଇଗଲାଣି । ପୂର୍ବରୁ ଦି’ଚାରିଟା ଗୁଣ୍ଡା ରଖିବାରେ ଏତେ ଖର୍ଚ୍ଚ ନଥିଲା । ସେମାନେ ଖାଇପିଇ ମାସିକ ଦରମାଗଣ୍ଡାକ ପାଇଲେ ମାଲିକର ପାଖେପାଖେ ଥାନ୍ତି । ମାଲିକ କି ନେତାମାନେ ସେ ଗୁଣ୍ଡାମାନଙ୍କୁ ତାଙ୍କ ‘ଠଣା’ ଦେଖାନ୍ତିନାହିଁ । ଏଠାରେ ‘ଠଣା’ ଅର୍ଥ ଆଜିକାଲି ନେତାମନ୍ତ୍ରୀଅଫିସରମାନେ କାନ୍ଥରେ ଗୁପ୍ତ ଆଲ୍‍ମିରା, ମୋଟା ଗଦିତଳ, ଆଲ୍‍ମିରାରେ ରାଜକୋଷଲୁଟ୍‍ ଟଙ୍କାକୁ ଲୁଚାଇରଖନ୍ତି । ଟଙ୍କା ଆଣନ୍ତି କେଉଁଠି ରଖନ୍ତି – ଗୁଣ୍ଡାମାନେ ଟେର ପାଆନ୍ତିନାହିଁ । ସେମାନଙ୍କର ମାଲିକ କିମ୍ବା ବାବୁଙ୍କ ଟଙ୍କା ଆଟାଚୀ, ବ୍ୟାଗ୍‍ ବୋହିବା ହେଲା ତାଙ୍କର କାମ, ସେ ବ୍ୟାଗ୍‍ରେ କେତେଲକ୍ଷ କିମ୍ବା କେତେକୋଟି ଟଙ୍କା ଅଛି – ଏମାନେ ବା ଜାଣିବେ କିପରି !

ଗୁଣ୍ଡାମାନେ ଭଡାଟିଆ – ଯେମିତି ରୁଷର ୱାଗନର ଭଡାଟିଆ ସୈନ୍ୟମାନେ ୟୁକ୍ରେନ୍‍ରେ ରୁଷ୍‍ ପାଇଁ ଲଢୁଥିଲେ । ଯେମିତି ଆମ କଳିଙ୍ଗ ସେନାମାନେ କୌରବପକ୍ଷରେ ମହାଭାରତର କୁରୁକ୍ଷେତ୍ରରେ ଲଢିଥିଲେ । ବିଭିନ୍ନ ରାଜ୍ୟ-ଦେଶର ରଜା-ମୁଖ୍ୟମାନେ ସୀମାସୁରକ୍ଷା – ଦେଶରକ୍ଷା ପାଇଁ ଭଡାଟିଆ ସୈନ୍ୟମାନଙ୍କୁ ନିଯୁକ୍ତି ଦେଉଥିଲେ । ସେମାନଙ୍କ ପଛରେ ବହୁ ଅର୍ଥ ବ୍ୟୟ କରୁଥିଲେ । ସେ ଯୁଗ କେବେଠୁ ବଦଳି ଗଲାଣି । ଏବେ କଳିକାଳ । ଆଉ ରଜା ନାହାଁନ୍ତି । ନୂଆରଜା ଭାବେ ଶିଳ୍ପପତି, ମନ୍ତ୍ରୀ, ନେତା-ଅଫିସରମାନେ ଉଭା ହେଇଛନ୍ତି । ସେମାନେ ନିଜ ସିନ୍ଧୁକ, ସଂପତ୍ତି ଓ ନିଜରକ୍ଷା ପାଇଁ ବଳୁଆ ସିକ୍ୟୁରିଟି ଗାର୍ଡ ରଖିଛନ୍ତି । ଏମାନେ ଏକପ୍ରକାର ଭଡାଟିଆ ଗୁଣ୍ଡାବାହିନୀ । ଏମାନଙ୍କ ପିଛେ ରେଗୁଲାର୍‍ ବ୍ୟୟ କରିବାକୁ ପଡେ ।

ଏବେ କେତେକ ନେତା, ମନ୍ତ୍ରୀ, ଶିଳ୍ପପତି ଖର୍ଚ୍ଚ କମାଇବା ପାଇଁ ସାମୟିକ ଗୁଣ୍ଡା ପୋଷୁଛନ୍ତି । ସେ ଗୁଣ୍ଡାମାନେ ମଝିରେ ମଝିରେ କିଛି ଟଙ୍କାପଇସା ନିଅନ୍ତି – ମଦପାଣି ପାଇଁ ଟଙ୍କା ନିଅନ୍ତି – ଦରକାର ବେଳେ ବେଶି ଟଙ୍କାନେଇ ନେତାପଛରେ ଠେଙ୍ଗାବାଡି, ଛୁରୀ, ତେଣ୍ଟା, ବନ୍ଧୁକ ଧରି ଠିଆହୁଅନ୍ତି । ସେମାନଙ୍କ ବଳିଷ୍ଠ ଚେହେରା ଦେଖି ଅପରପକ୍ଷ ଡରି ଯାଆନ୍ତି । ଏବେ କଥାକଥାକେ ବନ୍ଧୁକରୁ ଗୁଳି, ବୋମା ଫୁଟୁଛି । ଗୁଣ୍ଡାମାନେ ସପକ୍ଷବିପକ୍ଷ ପକ୍ଷର ହୋଇ ଲଢୁଛନ୍ତି । ବେଳେବେଳେ ସହରବଜାରରେ ଦୁଇଗୋଷ୍ଠୀ ଗୁଣ୍ଡାଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ଘଟି ହଣାକଟା ଲାଗିଯାଏ । ଏବେ ବିଶେଷକରି ଯୁବସମାଜ ବେଶି ଏହି ଗୁଣ୍ଡାମିରେ ମାତିଛନ୍ତି । ଚାକିରୀ ନାହିଁ । ସେମାନଙ୍କୁ ନିଶାଗ୍ରସ୍ତ କରିଦିଆଯାଉଛି । ସେମାନେ ନିଶାପାଇଁ କଦର୍ଯ୍ୟ କାମ ପାଇଁ, ଗୁଣ୍ଡାମୀ ପାଇଁ ଯିଏ ଭଡାରେ ନେଲା – ପଳେଇଯାଉଛନ୍ତି । କେତେକ ଗୁଣ୍ଡା ସୁପାରୀକିଲର୍‍ ଭାବେ ଲକ୍ଷଲକ୍ଷଟଙ୍କା ନେଇ ମଣିଷମାରି ଖସିଯାଆନ୍ତି । ତାଙ୍କ ଟେର୍‍ ପାଇବା କଷ୍ଟକର । ଫଳରେ ସମାଜରେ ଘୋର ବିଭ୍ରାଟ୍‍ ଦେଖାଦେଇଛି । ଏବେ ସରକାରୀ ଓ ବିରୋଧୀଦଳମାନେ ଗୁଣ୍ଡା ପୋଷିଛନ୍ତି – ସେମାନେ ଦରକାରବେଳେ କାମରେ ଲାଗୁଛନ୍ତି ।

ଆଗେ ଗୁଣ୍ଡାମାନେ ଛୁରି, ବନ୍ଧୁକ, ତେଣ୍ଟାରେ ଆକ୍ରମଣ କରୁଥିଲେ – ଏବେ ରାଜନୀତିବାଲା ସେମାନଙ୍କୁ ଠେଙ୍ଗା ଧରାଇଦେଉଛନ୍ତି । ଠେଙ୍ଗାରେ ପୁଲିସ୍‍ବାଲା ବାଡାବାଡି କରନ୍ତି । ଏବେ ଗୁଣ୍ଡାମାନେ ଏକପ୍ରକାର ପୋଷାକ ପିନ୍ଧି ଠେଙ୍ଗାଧରି ପୁଲିସଙ୍କ କାମ କରୁଛନ୍ତି । ପୁଲିସ୍‍ ବିଚରା ନିରୁପାୟ । ଠେଙ୍ଗାଧାରୀମାନେ ବଳବାନ୍‍ ନେତାଙ୍କ ଗୁଣ୍ଡା ହୋଇଥିବାରୁ ସେମାନଙ୍କୁ କିଛି କହିପାରୁନାହାଁନ୍ତି କି ସେମାନଙ୍କ ବିରୋଧରେ କୌଣସି କେଶ୍‍ ରୁଜୁ ହେଉନି । ଯାହା ଜଣାପଡୁଛି – ନିର୍ବାଚନବେଳେ ଭୟଙ୍କର ଠେଙ୍ଗା ଯୁଦ୍ଧ ହେବ । ଅବଶ୍ୟ ଠେଙ୍ଗାଲଢେଇ କୁକୁଡାଲଢେଇ ଭଳି ହେବନି । କାରଣ – କୁକୁଡା ଗୋଡରେ ଧାରୁଆଛୁରୀ ବନ୍ଧାଯାଇଥାଏ । ଲଢେଇରେ କୁକୁଡା ତା’ ଜାତିଭାଇକୁ ଜୀବନରେ ମାରିଦିଏ । ଜିତିବା କୁକୁଡା ମାଲିକର କଅଁଳ ସ୍ପର୍ଶ ପାଏ । ମାଲିକ ମୃତ କୁକୁଡାକୁ ଆଣି ରାନ୍ଧିଖାଏ । ବିଚିତ୍ର ଏ କୁକୁଡା ଲଢେଇ । ସେଇଭଳି ଭଡାଟିଆ ଗୁଣ୍ଡାମାନେ ଏକଦା ତାଙ୍କ ସାଂଗସାଥୀ, ଆତ୍ମୀୟମାନଙ୍କୁ ଟଙ୍କା, ଚାକିରୀ ଲୋଭରେ ହତ୍ୟା କରନ୍ତି ।

ଏଇଭଳି ଘଟଣା ମୋ ଆଖିରେ ପଡିଛି । ଆଉ ସବୁଠୁ ହାସ୍ୟକର ଘଟଣା ବଖାଣୁଛି । ପ୍ରାୟ ୧୦ବର୍ଷ ତଳେ ଭୁବନେଶ୍ୱରରେ ଏକ ବେସରକାରୀ ଅଫିସକୁ ମୋ ଲିଖିତ, ପ୍ରକାଶିତ ବହି ବିକ୍ରି କରିବାକୁ ଯାଇଥିଲି । ସେ ଭଦ୍ରଲୋକ ଅଫିସ୍‍ ବାରଣ୍ଡାରେ ପହଞ୍ôଚଲାବେଳକୁ ସିକ୍ୟୁରିଟି ନୁହେଁ – ସାକ୍ଷାତ ‘ରାବଣ’ ବଂଶର ମଣିଷ । ସାଢେ ଛ’ଫୁଟିଆ, ମୋଟା, ପେଟୁଆ, କଳା ମଚମଚ ମୋଟା ନିଶ ଦୁଇ କଲିକୁ ଛୁଇଁଛି । ଛୋଟଛୁଆ ଦେଖିଲେ ପେଳେଇପାଣି ହୋଇଯିବ । ପୁଣି ଏକ ବିରାଟ ରାଇଫଲ୍‍ ଧରିଛି । କମରରେ ମଧ୍ୟ ପିସ୍ତଲ ରଖିଛି । ମୁଁ ଅବଶ୍ୟ ଏଇଭଳି କେତେ ସିକ୍ୟୁରିଟିକୁ ଦେଖିଛି । ବିଶେଷକରି କାରଖାନା, ଖଣିଅଞ୍ଚଳରେ ଏମାନେ ବେଶି ଦେଖାଯାଆନ୍ତି ।

ମୁଁ ଯେଉଁ ଅଫିସକୁ ଆସିଥିଲି – ସେ ସିକ୍ୟୁରିଟି ମୋ ନାଁ, ଗାଁ ପଚାରି ତା’ ସାକ୍ଷାତକାର ଖାତାରେ ଲେଖି ଦସ୍ତଖତ କରିବାକୁ କହିଲା । ଏଇ ସମୟରେ ସେ ବାବୁ ଆସି ମୋତେ ନମସ୍କାର ହୋଇ ପାଛୋଟି ନେଲା । ଗପସପ ହେଲୁ – ଅବଶ୍ୟ ଯେତେ ବହି ବିକ୍ରି କରିବାକୁ ଆଶା ରଖିଥିଲି – ସେ ବାବୁ ମାତ୍ର ଦୁଇହଜାର ଟଙ୍କାରେ ବହି କିଣିଲେ । କହିଲେ – ଆଜିକାଲି ବହି କେହି ପଢୁନାହାଁନ୍ତି । ୨ବର୍ଷ ତଳେ ଯେଉଁ ବହି ଦେଇଯାଇଥିଲେ – ସେ ପଡିପଡି ଶେଷରେ କବାଡିବାଲା ନେଇଗଲେ । ସବୁ ଶୁଣିଲି – ଭାବିଲି – ‘ଅନ୍ଧଦେଶେ ଗଲି ଦର୍ପଣ ବିକି ।’ ଉପରମହଲାରୁ ଆସି ତଳମହଲାରେ ସେଇ ବିରାଟକାୟ ସିକ୍ୟୁରିଟିକୁ ଭେଟିଲି । ସେ ମୋତେ ସାଲ୍ୟୁଟ୍‍ ମାରିଲେ । ତାଙ୍କ ବିଷୟରେ ମୋର ଜାଣିବାକୁ ଇଛାହେଲା । ବାରଣ୍ଡା ପାଖ ଚା’ଦୋକାନରୁ ଦୁଇଟା ଚା’ଆଣି ସେ ଓ ମୁଁ ପିଇଲୁ । ତା’ର ଭୟଙ୍କର ନିିଶଭିତରୁ ଟିକେ ହସର ଜୁଆର ଆସିଲା । ପଚାରିଲି – ବାବୁ ! ଏଠି କେବେଠୁ ରହିଲଣି । ଘରେ ଛୁଆପିଲା ସବୁ ଭଲରେ ଅଛନ୍ତି ? ସେ ସିକ୍ୟୁରିଟି ବାବୁଙ୍କ ମୁହଁ ବିରସ ହୋଇଗଲା । ମୋତେ ପାଖଲୋକ ଭାବି କହିଲା – ବାବୁ ! ଦୁଃଖ କଥା କ’ଣ କହିବି । ଏଠି ଦରମା ଯେତେ ପାଉଛି – ୧୨ ଘଣ୍ଟା ଡ୍ୟୁଟି । କେବେକେବେ ୧୪ ଘଣ୍ଟା – ସେ ଦରମାଟଙ୍କାରେ ଘରଭଡା, ଖାଇବା, ଅନ୍ୟାନ୍ୟ ଖର୍ଚ୍ଚ ହେଉନି । ଘରକୁ ଟଙ୍କା ପଠାଇପାରୁନି ।

ଘରେ ମୋର ବୁଢାବାପା, ବୁଢୀମା, ସ୍ତ୍ରୀ, ୫ଟି ପୁଅଝିଅ । ସେମାନେ ବଡକଷ୍ଟରେ ଚଳୁଛନ୍ତି । ଏଠି ଚାକିରୀ ପାଇଲ କେମିତି ? ସେ କହିଲା – ମୋ ଚେହେରା, ନିଶ ପାଇଁ ଚାକିରୀ ପାଇଛି – ହେଲେ ଖଟଣି ଅନୁସାରେ ଦରମା କମ୍‍ । ଆଛା! ଆଛା! କହି ବିକିଥିବା ବହିର ଦୁଇହଜାରଟଙ୍କା ତା’ହାତରେ ଗୁଞ୍ଜିଦେଲି । ସିକ୍ୟୁରିଟିର ଆଖି ଛଳଛଳ ହୋଇଗଲା । ଆଖିରୁ ଦି’ଧାର ଲୁହ ବୋହିଗଲ । ସେତେବେଳେ ମୋର ମନେପଡିଗଲା – ଜଗତଜୀବନ କବି ମାୟାଧର ମାନସିଂଙ୍କ ଗାଥା – ପଦେ କଥା ଓ ସହାନୁଭୂତିରେ ଯାହାର ଆଖିରୁ ଲୁହ ଝରିଯାଏ – ତାହା ହିଁ ଇଶ୍ୱର ସେବା । ଛ’ମାସ ପରେ ପୁଣି ଥରେ ସେଇ ସିକ୍ୟୁରିଟି ଗାର୍ଡକୁ ଦେଖିବାକୁ ଯାଇଥିଲି । ସେଠାରେ ପହଞ୍ôଚ ଦେଖିଲି – ସିକ୍ୟୁରିଟି ଗାର୍ଡ ନାହିଁ । ପାଖ ଦୋକାନରେ ପଚାରିଲି – ଦୋକାନୀ କହିଲା – ବାବୁ ଅଫିସ୍‍ ଏଠୁ ଉଠିଗଲାଣି । ଅଫିସ୍‍ର ବଡବାବୁ ଏବେ ଜେଲ୍‍ରେ ।

ଏଇଭଳି ହଜାରଏକ ଘଟଣା ଏ ଆଖି ଦେଖିଛି । ମୋ ଉପରେ ମଧ୍ୟ ମାଲିକ, ଠିକାଦାର, ନେତାମାନଙ୍କର ଗୁଣ୍ଡାବାହିନୀ ବାରମ୍ବାର ଆକ୍ରମଣ କରିଛନ୍ତି । ମୁଁ ସିନା ଆଜିପର୍ଯ୍ୟନ୍ତ ବଞ୍ôଚଯାଇଛି – ହେଲେ ପ୍ରିୟ ଶ୍ରମିକଭାଇ ପାଖାପାଖି ଆଠଜଣ ଗୁଣ୍ଡାଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଯେଉଁ ଗୁଣ୍ଡାମାନେ ମାରିଛନ୍ତି – ଯେଉଁମାନେ ମରିଛନ୍ତି – ସେମାନେ ଏକଦା ଭାଇଭାଇ ହୋଇ ବହୁ ଆନ୍ଦୋଳନରେ ଲଢୁଥିଲେ । ଗୁଣ୍ଡାମାନେ ଗାଁର ପିଲା । ସେମାନଙ୍କ ପାଖରେ ଚାକିରୀ ନାହିଁ କି ଠିକାଦାରୀ କରିବାପାଇଁ ଟଙ୍କା ନାହିଁ । ସେମାନଙ୍କ ମଦ, ଗଞ୍ଜେଇ, ଅଫିମ, ଚରସ୍‍, ହିରୋଇନ୍‍ ଖୁଆଇ ନିଶାସକ୍ତ କରିଦିଆଯାଉଛି । ନିଶାବେଳେ ସେମାନେ ସବୁ ଅଘଟଣା ଘଟାନ୍ତି । ନିଶା ଛାଡିଗଲେ ମୁଣ୍ଡରେ ହାତଦେଇ ବସନ୍ତି । ଏ ଗୁଣ୍ଡାମାନଙ୍କର ଗାଁଗଣ୍ଡାରେ କାଟ୍‍ତି ନାହିଁ । ଗାଁରେ ଗୁଣ୍ଡାମୀ କଲେ – ଗାଁ ଲୋକେ ବାଡେଇ ଛତୁ କରିଦିଅନ୍ତି । ଏମାନେ ତେଣୁ ନେତାମନ୍ତ୍ରୀ, ଶିଳ୍ପପତି, ଠିକାଦାର ପାଖରେ ରହି ଗୁଣ୍ଡାଗର୍ଦ୍ଦି କରନ୍ତି । ଲୋକେ ଦେଖୁଛନ୍ତି – ପୋଲିସ୍‍ ଦେଖୁଛନ୍ତି – ହେଲେ କେହି କିଛି କରିପାରୁନାହାଁନ୍ତି ।

ଆଗକୁ ବେଳ ଖରାପ । ରୋଗ-ଭୋକ ମାଡିଆସୁଛି । କରୋନା ଠାରୁ ସାତଗୁଣ ଶକ୍ତିଶାଳୀ ‘ଡିଜିଜ୍‍ ଏକ୍ସ’ ଭୟଙ୍କର ରୋଗ ପୃଥିବୀପୃଷ୍ଠକୁ ମାଡିଆସୁଛି । ଏ ରୋଗ ପବନରେ, ମଣିଷ-ପଶୁଙ୍କ ନିଶ୍ୱାସପ୍ରଶ୍ୱାସରେ ବ୍ୟାପିଯିବ । ଏପର୍ଯ୍ୟନ୍ତ ଏ ରୋଗରେ ଚିକିତ୍ସା ନାହିଁ । କରୋନା ସମୟରେ ସବୁ ଘରେ ବସିରହିଥିଲେ । ସେତେବେଳେ ଗୁଣ୍ଡାପୋଷିବା ଆବଶ୍ୟକ ହେଲାନି । ସବୁଦିନେ ନେତାମନ୍ତ୍ରୀ, ମାଲିକମାନେ ଗୁଣ୍ଡା ପୋଷିପାରିବେନାହିଁ । ସମୟ ଆସୁଛି – ଏଇ ଗୁଣ୍ଡାମାନଙ୍କ ମୁଣ୍ଡରେ ଟିକେ ବୁଦ୍ଧି ପଶିଲେ ସେମାନେ ପ୍ରଥମେ ସେଇ ନେତାମନ୍ତ୍ରୀ, ମାଲିକ, ଠିକାଦାରମାନଙ୍କୁ ଗୋଡେଇଗୋଡେଇ ମାରିବେ । ବନ୍ଧୁକ, ବୋମା ବିନା ଲାଇସେନ୍‍ସରେ ରଖିପାରିବେନାହିଁ । ଏସବୁ କିଣିବାପାଇଁ ଟଙ୍କା ଦରକାର ।

ସରକାର କ’ଣ ଠେଙ୍ଗା ଧରିବା ବେଆଇନ୍‍ ବୋଲି ଘୋଷଣା କରିପାରିବେ କି ? ଠେଙ୍ଗା ଜାତୀୟଙ୍କୁ ଯେବେ ସରକାର ନିଷିଦ୍ଧ ଘୋଷଣା କରନ୍ତି ତା’ହେଲେ କଥା ସରିଲା । ଅନ୍ଧମାନେ ଠେଙ୍ଗା ଧରିପାରିବେନି । ବୃଦ୍ଧବୃଦ୍ଧାମାନେ ଆଶାବାଡି ଧରିପାରିବେନାହିଁ । ଗରବା ଖେଳ ହେବନି । ଖୋର୍ଦ୍ଧାରେ ମଧ୍ୟ ଆଉ ପାଇକମାନଙ୍କ ବାଡିଖେଳ ଦେଖିବାକୁ ମିଳିବନି । ପୁଲିସ୍‍ବାଲା ବି ଲାଠି ଧରିପାରିବେନାହିଁ । ଏ ଭଳି ଠେଙ୍ଗାବାଡିକୁ ଯେଉଁମାନେ ଭରଷା କରିଥିଲେ – ସେମାନଙ୍କ ଭେଳା ବୁଡିବ । ତେଣୁ ଠେଙ୍ଗାକୁ ନିଷିଦ୍ଧ ଘୋଷଣା ସମ୍ଭବ ନୁହେଁ । ଶେଷରେ ଅସ୍ତ୍ରଭାବେ ଠେଙ୍ଗା, ଟେକାପଥର, ଛୁରୀ, ତେଣ୍ଟା, ଖଣ୍ଡା ଥିବ – ସେଇଥିରେ ଆକ୍ରମଣ କରିବେ । ଏ ଘୋର କଳିକାଳରେ ‘ଶ୍ରୀ ଜଗନ୍ନାଥ‘ କଳ୍‍କୀ ଅବତାରରେ ୧୨ହାତ ଖଣ୍ଡା ଧରି ମ୍ଲେଚ୍ଛ ସଂହାର କରିବେ । ଏହାର ଅର୍ଥ ବାରଲୋକ – ସମସ୍ତଙ୍କ ହାତରେ ଠେଙ୍ଗା-ଖଣ୍ଡା ରହିବ । ଆଗକୁ ଭୟଙ୍କର ଠେଙ୍ଗାଯୁଦ୍ଧ ହେବ ।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button