ରାଜ୍ୟ

ପୁରୀ ବିମାନବନ୍ଦର ଟେଣ୍ଡରକୁ କେହି ଆସିଲେନି, ନୂଆ ଟେଣ୍ଡର ପାଇଁ ଖୁବ୍‌ ଶୀଘ୍ର ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର,୨୬/୦୯: ପ୍ରି-ବିଡ୍ ପାଇଁ ନାମୀଦାମୀ କମ୍ପାନି ଆସିଲେ । ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ଜମି ବୁଲିଲେ । କର୍ତ୍ତୃପକ୍ଷଙ୍କ ସହ ବୈଠକ କଲେ । ହେଲେ ଟେଣ୍ଡରବେଳକୁ ଆସିଲେନି କେହି । ଗୋଟିଏ ବି କମ୍ପାନି ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ଟେଣ୍ଡର ପାଇଁ ଆଗ୍ରହ ଦେଖାଇ ଆବେଦନ କଲେ ନାହିଁ । ଶେଷରେ ଟେଣ୍ଡର ବାତିଲ ହେଲା ।

ନୂଆ ଟେଣ୍ଡର ଆହ୍ୱାନ ପାଇଁ ପରିବହନ ବିଭାଗ ବିଚାର ବିମର୍ଷ ଚଳାଇଛି ।

ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ପାଇଁ ପରିବହନ ବିଭାଗ ଟେଣ୍ଡର ଆହ୍ୱାନ କରିଥିଲା । ଆବେଦନର ଶେଷ ତାରିଖ ଥିଲା ଗତ ଅଗଷ୍ଟ ୧୭ । ମାତ୍ର ଗୋଟିଏ ବି ସଂସ୍ଥା ଆବେଦନ ପାଇଁ ଆସିଲେନି । ରାଜ୍ୟ ପରିବହନ ବିଭାଗକୁ ବଡ଼ ଝଟ୍କା ଲାଗିଲା । କ’ଣ ପାଇଁ କେହି ଟେଣ୍ଡର ଆବେଦନ କଲେନି, ବୁଝିପାରୁନାହାନ୍ତି ଅଧିକାରୀ । ତର୍ଜମା ଚାଲିଛି, କେଉଁଠି ଅଡ଼ୁଆ ରହିଲା? ଟେଣ୍ଡର ସର୍ତ୍ତାବଳୀରେ ଆଉ କି ସୁବିଧା ବା ପ୍ରୋତ୍ସାହନ ସରକାର ଦେଇପାରିବେ, ତା’ ଉପରେ ବିଚାର ବିମର୍ଷ ଆରମ୍ଭ ହୋଇଛି ।

ସୂତ୍ର ଅନୁସାରେ ପୁରୀରେ ବିମାନବନ୍ଦର ପାଇଁ ନୂଆ ସରକାରଙ୍କ ଆଭିମୁଖ୍ୟ ବେଶ୍ ସକରାତ୍ମକ ରହିଛି । ଆସନ୍ତା ୧୫ ଦିନ ଭିତରେ ରାଜ୍ୟ ପରିବହନ ବିଭାଗ ଏ ନେଇ କିଛି ବଡ଼ ନିଷ୍ପତ୍ତି ନେବାକୁ ଯାଉଛି । ସମ୍ଭବତଃ କ୍ୟାବିନେଟ ବୈଠକରେ ଏହା ଉପରେ କିଛି ବଡ଼ ନିଷ୍ପତ୍ତି ହେବ । ସରକାରଙ୍କ ନିଷ୍ପତ୍ତି ଆଧାରରେ ଟେଣ୍ଡରରେ କିଛି ସଂଶୋଧନ ଅଣାଯିବ । ତା’ପରେ ନୂଆ ଟେଣ୍ଡର ଆହ୍ୱାନ କରାଯିବ । ମାସେ ଭିତରେ କିଛି ବଡ଼ ଖବର ଆସିପାରେ ।

ପୁରୀ ସିପସରୁବାଲି ନିକଟରେ ପ୍ରସ୍ତାବିତ ବିମାନବନ୍ଦର ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧୧୬୪ ଏକର ଜମି ଚିହ୍ନଟ କରିଛନ୍ତି । ମଲ୍ଟି ମୋଡାଲ ହବ୍ ପାଇଁ ଆଉ ୧୦୦ ଏକର ଜମି ଚିହ୍ନଟ ହୋଇଛି । ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି । ଏବେ ସୁଦ୍ଧା ପ୍ରାୟ ୯ଶହ ଏକର ଜମି ଆସି ସାରିଲାଣି । ବିମାନବନ୍ଦର ପାଇଁ ଡିପିଆର୍ (ବିସ୍ତୃତ ଯୋଜନା ରିପୋର୍ଟ) ପ୍ରସ୍ତୁତ ସରିଛି । କେନ୍ଦ୍ର ସରକାରଙ୍କଠାରୁ ପ୍ରକଳ୍ପ ସ୍ଥାନକୁ ଅନୁମୋଦନ ମିଳିସାରିଛି । ନୀତିଗତ ଅନୁମୋଦନ ଖୁବଶୀଘ୍ର ମିଳିବ ବୋଲି ଜଣାପଡ଼ିଛି । ବିମାନବନ୍ଦର ନିର୍ମାଣ ପାଇଁ ୨୨୦୩ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ପିପିପି ମୋଡ୍ରେ ଏହି ବିମାନବନ୍ଦର ନିର୍ମାଣ ଓ ରକ୍ଷଣାବେକ୍ଷଣ କରାଯିବ । ସରକାର ଜମି ଦେବେ । ନିର୍ମାଣକାରୀ ସଂସ୍ଥା ନିଜ ଖର୍ଚ୍ଚରେ ୩ ବର୍ଷ ଭିତରେ ବିମାନବନ୍ଦର ନିର୍ମାଣ କରିବ । ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ବ ସଂପୃକ୍ତ ସଂସ୍ଥା ତୁଲାଇବ । ବିମାନବନ୍ଦରରୁ ଯେଉଁ ଆୟ ବାହାରିବ, ସେଥିରୁ ନିର୍ମାଣକାରୀ ସଂସ୍ଥା ତା’ର ଭାଗ ନେବ । ଲମ୍ବା ଅବଧି ପାଇଁ କମ୍ପାନି ସହ ଚୁକ୍ତିନାମା ହେବ । ପ୍ରସ୍ତାବିତ ବିମାନବନ୍ଦର ପ୍ରକଳ୍ପ ଚାରିପାଖେ ପାଚେରି ନିର୍ମାଣ ହୋଇସାରିଛି । ପ୍ରକଳ୍ପ ସ୍ଥାନର ଭିତରେ ୧୩ କିଲୋମିଟର ଓ ବାହ୍ୟ ପାଶ୍ୱର୍ରେ ୧୨ କିମି ପାଚେରି ନିର୍ମାଣ ହେବ । ଏଥିମଧ୍ୟରୁ ମୋଟ ୧୬ କିମି ପାଚେରି ନିର୍ମାଣ ସରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button