କମୁଛି ଘରୋଇ ପ୍ରବାସ: ୨୦୧୧-୨୦୨୩ ଭିତରେ ୧୨% କମିଛି
ନୂଆଦିଲ୍ଲୀ: ଦେଶରେ ଡୋମେଷ୍ଟିକ୍ ମାଇଗ୍ରେସନ ବା ଘରୋଇ ପ୍ରବାସ ( ଦେଶ ଭିତରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କାମଧନ୍ଦା ଅନ୍ବେଷଣରେ ଲୋକଙ୍କ ଯା’ଆସ) ହ୍ରାସ ପାଇଛି। ୨୦୧୧ରୁ ୨୦୨୩ ମଧ୍ୟରେ ଏଥିରେ ପ୍ରାୟ ୧୨ ପ୍ରତିଶତ ହ୍ରାସ ଘଟି ୪୦.୨୦ କୋଟିକୁ ଖସିଆସିଛି। ଏହାଦ୍ବାରା ଦେଶରେ ଅର୍ଥନୈତିକ ସୁଯୋଗ ଲୋକଙ୍କ ଘର ନିକଟରେ ଉପଲବ୍ଧ ହେଉଥିବା ଆଭାସ ମିଳୁଛି। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ (ଇଏସି-ପିଏମ୍) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାଯାଇଛି।
ଇଏସି-ପିଏମ୍ର ରିପୋର୍ଟ ଅନୁଯାୟୀ, ଦେଶରେ ଘରୋଇ ପ୍ରବାସୀଙ୍କ ସଂଖ୍ୟା ୨୦୨୩ ମସିହାରେ ୪୦, ୨୦,୯୦,୩୯୬ ରହିଛି। ୨୦୧୧ ଜନଗଣନା ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ସଂଖ୍ୟା ତୁଳନାରେ ଏହା ୧୧.୭୮ ପ୍ରତିଶତ କମ୍। ଇଏସି-ପିଏମ୍ ପକ୍ଷରୁ ଡିସେମ୍ବରରେ ପ୍ରକାଶିତ ଉକ୍ତ ସନ୍ଦର୍ଭରେ ୨୦୧୧ରେ ଘରୋଇ ପ୍ରବାସୀଙ୍କ ସଂଖ୍ୟା ୪୫,୫୭,୮୭,୬୨୧ ରହିଥିବା ଦର୍ଶାଯାଇଛି। ଦେଶରେ ସାମଗ୍ରିକ ଘରୋଇ ପ୍ରବାସୀଙ୍କ ସଂଖ୍ୟା କମୁଛି। ୨୦୧୧ ଜନଗଣନା ଅନୁସାରେ ଦେଶରେ ପ୍ରବାସ ହାର ୩୭.୬୪ ପ୍ରତିଶତ ଥିବାବେଳେ ୨୦୨୩ରେ ଏହା ୨୮.୮୮ ପ୍ରତିଶତକୁ କମିଯାଇଛି। ଯେଉଁସବୁ ସ୍ଥାନରୁ ଲୋକମାନେ ଅଧିକ ସଂଖ୍ୟାରେ ବାହାରକୁ ଯାଉଥିଲେ ସେସବୁ ସ୍ଥାନରେ ଅଧିକ ମାତ୍ରାରେ ଅର୍ଥନୈତିକ ସୁବିଧାସୁଯୋଗ ଉପଲବ୍ଧ ହେବା ସହ ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି ଓ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆସିବା କାରଣରୁ ଏହି ସଂଖ୍ୟା ହ୍ରାସ ପାଇଥିବା ଅନୁମାନ କରାଯାଇଛି।
ସାମଗ୍ରିକ ଅର୍ଥନୈତିକ ଅଗ୍ରଗତିର ଏହା ଏକ ମାନଦଣ୍ଡ ବୋଲି ଇଏସି-ପିଏମ୍ର ପୂର୍ବତନ ଅଧ୍ୟକ୍ଷ ବିବେକ ଦେବରୟ ସେଥିରେ ଲେଖିଛନ୍ତି। ମୁଖ୍ୟତଃ ଭାରତୀୟ ରେଳର ଅସଂରକ୍ଷିତ ଟିକଟ ବ୍ୟବସ୍ଥା (ୟୁଟିଏସ୍) ତଥ୍ୟରେ ଯାତ୍ରୀଙ୍କ ସଂଖ୍ୟା, ଟ୍ରାଇର ମୋବାଇଲ ରୋମିଂ ତଥ୍ୟ ଏବଂ ଜିଲ୍ଲାସ୍ତରରେ ବ୍ୟାଙ୍କିଂ ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଯେଉଁସବୁ ସ୍ଥାନରୁ ଅଧିକ ଲୋକ ଦେଶର ବିଭିନ୍ନ ସ୍ଥାନକୁ ଆସିଥାନ୍ତି ସେଗୁଡ଼ିକ ମଧ୍ୟରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ ଏବଂ କୋଲକାତା ଆଦି ରହିଛି। ତେବେ ଯେଉଁ ପ୍ରମୁଖ ୫ଟି ରାଜ୍ୟକୁ ସବୁଠୁ ଅଧିକ ପ୍ରବାସୀ ଶ୍ରମିକ ଆସୁଥିଲେ ସେଥିରେ ପରିବର୍ତ୍ତନ ଆସିଛି। ଏହି ପାଞ୍ଚଟି ରାଜ୍ୟ ତାଲିକାରୁ ଆନ୍ଧ୍ରପ୍ରଦେଶ ଏବଂ ବିହାର ବାଦ୍ ପଡ଼ିଥିବାବେଳେ ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ଏଥିରେ ସାମିଲ ହୋଇଛନ୍ତି। ପ୍ରବାସୀ ଶ୍ରମିକ ଆସୁଥିବା ୫ଟି ରାଜ୍ୟ ମଧ୍ୟରୁ ପଶ୍ଚିମବଙ୍ଗ, ରାଜସ୍ଥାନ ଏବଂ କର୍ଣ୍ଣାଟକର ଅଂଶ ଅଧିକ ବଢ଼ିଥିବାବେଳେ ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶର ପ୍ରତିଶତ ହ୍ରାସ ପାଇଛି।
ମୁମ୍ବାଇ, ବେଙ୍ଗାଲୁରୁ ଅର୍ବାନ, ହାଓଡ଼ା, ସେଣ୍ଟ୍ରାଲ ଦିଲ୍ଲୀ, ହାଇଦ୍ରାବାଦ ଜିଲ୍ଲାକୁ ସର୍ବାଧିକ ପ୍ରବାସୀଙ୍କ ଆଗମନ ହେଉଥିବାବେଳେ ଭଲସାଦ୍, ଚିତ୍ତୋର, ପଶ୍ଚିମ ବର୍ଦ୍ଧମାନ, ଆଗ୍ରା, ଗୁଣ୍ଟୁର, ଭିଲ୍ଲୁପୁରମ, ସହର୍ସା ଜିଲ୍ଲାରୁ ସବୁଠୁ ଅଧିକ ପ୍ରବାସୀ ଆସିଛନ୍ତି। ଟ୍ରାଇ ତଥ୍ୟକୁ ବିଶ୍ଳେଷଣ କରି ଏହା କୁହାଯାଇଛି ଯେ ଏପ୍ରିଲ-ଜୁନ ମଧ୍ୟରେ ସବୁଠୁ ଅଧିକ ପ୍ରବାସୀ ଯାତ୍ରା କରୁଥିବାବେଳେ ନଭେମ୍ବର-ଡିସେମ୍ବର ସମୟରେ ଦ୍ବିତୀୟ ସର୍ବାଧିକ ସଂଖ୍ୟକ ପ୍ରବାସୀ ଯାତ୍ରା କରୁଛନ୍ତି। ଅନ୍ୟପକ୍ଷରେ ଜାନୁଆରିରେ ସବୁଠୁ କମ୍ ଲୋକ ପ୍ରବାସରେ ଯାଉଛନ୍ତି। ୨୦୧୧ ଜନଗଣନା ରିପୋର୍ଟ ଅନୁଯାୟୀ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗରୁ ଦେଶର ମୋଟ ପ୍ରବାସୀଙ୍କ ମଧ୍ୟରୁ ୪୮ ପ୍ରତିଶତ ପ୍ରବାସୀ ବାହାରକୁ ଯାଇଥିଲେ। ସେହିଭଳି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ତାମିଲନାଡ଼ୁକୁ ପ୍ରାୟ ୪୮ ପ୍ରତିଶତ ପ୍ରବାସୀ ଆସିଥିଲେ।