ମହାନଦୀ ଜଳ ବିବାଦ: ଚିଲିକା, ଦୟାକୁ ନେଇ କେଁ – Ibnodisha
[ad_1]
ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ସମାଧାନ ଦିଗରେ ଆବଶ୍ୟକ କମନ ଇନଫରମେସନ ଫର୍ମାଟ (ସିଏଫଆଇ)କୁ ଚୂଡ଼ାନ୍ତ କରିବା ଦିଗରେ ଆଉ ଅଧିକ ବିଳମ୍ବ ନ କରିବା ପାଇଁ ଟ୍ରବ୍ୟୁନାଲ ଓଡ଼ିଶା ଓ ଛତିଶଗଡ଼କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ମାମଲାର ବିଚାର ଆରମ୍ଭ କରିବା ଦିଗରେ ଗୁରୁତ୍ବାରୋପ କରିଛନ୍ତି। ଅନ୍ୟପକ୍ଷରେ ମହାନଦୀର ତ୍ରିକୋଣ ଭୂମି(ଡେଲଟା ଅଞ୍ଚଳ)ର ସୀମା ନିର୍ଦ୍ଧାରଣ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରିନାହିଁ। ଏହା ଟ୍ରିବ୍ୟୁନାଲଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି।
ଟ୍ରିବ୍ୟୁନାଲ ଅଧ୍ୟକ୍ଷ ବିଚାରପତି ଜଷ୍ଟିସ ଏ.ଏମ.ଖାନୱିଲକର ଓ ଦୁଇ ସଦସ୍ୟ ଯଥା ବିଚାରପତି ଇନ୍ଦରମିତ କୌର କୋଚର ଓ ବିଚାରପତି ଡ.ରବି ରଂଜନ ଆଜି ମାମଲାର ଶୁଣାଣି କରିଛନ୍ତି। ଉଭୟ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ଡେଲ୍ଟା ଅଞ୍ଚଳର ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଟ୍ରିବ୍ୟୁନାଲଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି। ମହାନଦୀ ଅବବାହିକାର ସୀମା ନିର୍ଦ୍ଧାରଣ କରାଯିବା ସମୟରେ ଟ୍ରିବ୍ୟୁନାଲଙ୍କ ଦୁଇ ଆସେସରଙ୍କ ଦ୍ବାରା ୧୬ଟି ଉପ ଅବବାହିକାର ସୀମା ନିର୍ଦ୍ଧାରଣ କରାଯାଇଥିଲା। ପ୍ରଥମରୁ ୧୫ଟି ଉପ ଅବବାହିକାର ସୀମା ନିର୍ଦ୍ଧାରଣରେ କୌଣସି ବିବାଦ ନଥିବା ବେଳେ ୧୬ତମ ଉପ ଅବବାହିକାରେ ବିବାଦ ଉପୁଜିଛି। ଟ୍ରିବ୍ୟୁନାଲଙ୍କ ଆସେସର ଚିଲିକା ଓ ଦୟା ନଦୀକୁ ୧୬ତମ ଉପ ଅବବାହିକା ବୋଲି ନିର୍ଦ୍ଧାରଣ କରିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ଚିଲିକା ଓ ଦୟା ମହାନଦୀ ଅବବାହିକାର ଅଂଶ ନୁହେଁ ବୋଲି ଆପତ୍ତି ଉଠିଛି।
ପଶ୍ଚିମାଞ୍ଚଳ କ୍ୟାଚ୍ମେଣ୍ଟ ଏରିଆ, ଚିଲିକା ହ୍ରଦ, ଭୂଭାଗ ଭଳି ଚାରିଟି ଭାଗରେ ବିଭକ୍ତ କରି ସିଏଫ୍ଆଇରେ ତଥ୍ୟ ସାମିଲ କରିଛି। ଓଡ଼ିଶାର ଚିଲିକା -ଦୟା ସବ୍ ବେସିନକୁ ଚାରିଟି ଭାଗରେ ବିଭକ୍ତ କରାଯାଇ ସିଏଫ୍ଆଇରେ ତଥ୍ୟ ସାମିଲ କରାଯିବାକୁ ଛତିଶଗଡ଼ ପକ୍ଷରୁ ନାପସନ୍ଦ କରାଯାଇଛି। ଛତିଶଗଡ଼ର ଯୁକ୍ତି ହେଉଛି ଟ୍ରିବ୍ୟୁନାଲ ଆସେସରଙ୍କ ଦ୍ବାରା ଧାର୍ଯ୍ୟ ଗାଇଡ୍ଲାଇନ ଅନୁସାରେ ସିଏଫଆଇରେ ତଥ୍ୟ ପ୍ରଦାନ କରାଯାଇଥିବାର ଯେଉଁ ବ୍ୟବସ୍ଥା କରାଯାଇଛି ତାହା କଡ଼ାକଡ଼ି ଭାବେ ପାଳନ ହେବା ଦରକାର। ଚିଲିକା ଓ ଦୟାକୁ ୧୬ତମ ମହାନଦୀ ଉପ ଅବବାହିକା ବୋଲି ଆସେସରଙ୍କ ଦ୍ବାରା ନିର୍ଦ୍ଧାରଣ ସପକ୍ଷରେ ଛତିଶଗଡ଼ ରହିଛି ଏବଂ ଚିଲିକା-ଦୟା ଉପ-ଅବବାହିକା ସୀମା ନିର୍ଦ୍ଧାରଣକୁ ଛତିଶଗଡ଼ ଗ୍ରହଣ କରିଛି। ଆଜି ଯେତେବେଳେ ଏହି ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ତରଫରୁ ଟ୍ରିବ୍ୟୁନାଲଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା, ଟ୍ରିବ୍ୟୁନାଲ କହିଥଲେ ମହାନଦୀ ଅବବାହିକାର ସୀମା ନିର୍ଦ୍ଧାରଣ ସଂପର୍କିତ ଆସେସରଙ୍କ ରିପୋର୍ଟକୁ ରେକର୍ଡରେ ନିଆଯାଇଛି। ଯଦି କୌଣସି ପକ୍ଷକୁ ଆସେସରଙ୍କ ରିପୋର୍ଟର କୌଣସି ବିନ୍ଦୁ ଉପରେ କିଛି ବିନ୍ଦୁ ସାମିଲ କରିବାର ଅଛି ତା’ହେଲେ ସମ୍ବନ୍ଧିତ ପକ୍ଷକୁ ସଠିକ୍ ପ୍ରମାଣ ଦେବାକୁ ପଡ଼ିବ। ଅପରପକ୍ଷର ଏଥିରେ କୌଣସି ଆପତ୍ତି ନଥିବ। ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ସିଏଫଆଇ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବା ପାଇଁ ୫ ସପ୍ତାହର ସମୟ ଲୋଡ଼ାଯାଇଥିଲା। ଉଭୟ ରାଜ୍ୟକୁ ସିଏଫଆଇ ଚୂଡ଼ାନ୍ତ କରିବା ପାଇଁ ଶେଷ ସୁଯୋଗ ଅନ୍ତର୍ଗତ ୪ ସପ୍ତାହର ସମୟ ପ୍ରଦାନ କରାଯାଉଛି ବୋଲି ଟ୍ରିବ୍ୟୁନାଲ କହିଥିଲେ। ଅନ୍ୟପକ୍ଷେ ଦୁଇ ରାଜ୍ୟ(ଓଡ଼ିଶା ଓ ଛତିଶଗଡ଼) ଆଗକୁ ଆଉ ଏହି ପ୍ରସଙ୍ଗରେ ସମୟ ଲୋଡ଼ିବେ ନାହିଁ ବୋଲି ଟ୍ରିବ୍ୟୁନାଲଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ସୂଚନାଯୋଗ୍ୟ, ଆସେସରରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟ ଅନୁଯାୟୀ ଉଭୟ ରାଜ୍ୟ ସିଏଫ୍ଆଇର ୬୫ ବିନ୍ଦୁ ଉପରେ ତଥ୍ୟ ପ୍ରଦାନ କରିବେ। ସୂଚନା ଅନୁସାରେ ଛତିଶଗଡ଼ ପକ୍ଷରୁ ୫୦ଟି ପଏଣ୍ଟ ଉପରେ ତଥ୍ୟ ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶା ୪୭ଟି ପଏଣ୍ଟ ଉପରେ ତଥ୍ୟ ଦାଖଲ କରିଛି। ଛତିଶଗଡ଼ ପକ୍ଷରୁ ୧୫ଟି ଓ ଓଡ଼ିଶା ପକ୍ଷରୁ ଆଉ ୧୮ଟି ପଏଣ୍ଟ ଉପରେ ତଥ୍ୟ ଦାଖଲ ବାକି ଅଛି। ଆଜିର ଶୁଣାଣି ବେଳେ ଟ୍ରିବ୍ୟୁନାଲ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଭିନ୍ନ ସମୟରେ ଓଡ଼ିଶା ଓ ଛତିଶଗଡ଼ ଦ୍ବାରା ଦାଖଲ କରାଯାଇଥିବା ୬ଟି ମଧ୍ୟବର୍ତ୍ତୀକାଳୀନ ଆବେଦନଗୁଡ଼ିକ ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଟ୍ରିବ୍ୟୁନାଲ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତିକାଳୀନ ଆବେଦନ-୯/୨୦୨୦,୧୦/୨୦୨୦ ଓ ୧୯/୨୦୨୨ ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଏଥିସହିତ ରାଜ୍ୟ ସରକାରଙ୍କ ଦ୍ବାରା ମହାନଦୀ ଜଳ ସଂପର୍କିତ କିଛି ତଥ୍ୟ ଓ ଦସ୍ତାବିଜ୍ ଟ୍ରିବ୍ୟୁନାଲରେ ଦାଖଲ କରିବାର ସମୟକୁ ୧୫ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ସଂପ୍ରସାରଣ କରିବା ସଂପର୍କିତ ମଧ୍ୟବର୍ତ୍ତିକାଳୀନ ଆବେଦନକୁ ରେକର୍ଡରେ ନେଇଥିଲେ।
ସବୁଠାରୁ ଗୁରୁତ୍ବପୁର୍ଣ୍ଣ କଥା ହେଉଛି ଟ୍ରିବ୍ୟୁନାଲ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତିକାଳୀନ ଆବେଦନ ନମ୍ବର ୧/୨୦୧୮ ଉପରେ ଆଜି କୌଣସି ନିଷ୍ପତ୍ତି ନେଇନାହାନ୍ତି। ଆଜିର ଶୁଣାଣି ସମୟରେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା ଆସନ୍ତା ଶୁଣାଣି ବେଳକୁ ଉପରୋକ୍ତ ଆବେଦନ ଉପରେ ସ୍ପଷ୍ଟ ମନ୍ତବ୍ୟ ରଖାଯିବ ବୋଲି ଟ୍ରିବ୍ୟୁନାଲଙ୍କୁ ଜଣାଇଥିଲେ। ଏହାପରେ ଟ୍ରିବ୍ୟୁନାଲ ମଧ୍ୟବର୍ତ୍ତିକାଳୀନ ଆବେଦନ ନମ୍ବର ୧/୨୦୨୮ର ପରବର୍ତ୍ତୀ ଶୁଣାଣିରେ ତାଲିକାଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମହାନଦୀ ଜଳ ବିବାଦ ମାମଲାରେ ମଧ୍ୟପ୍ରଦେଶ ଟ୍ରିବ୍ୟୁନାଲରେ ଉତ୍ତର ଦାଖଲ କରି ନଥିବାରୁ ତୁରନ୍ତ ଉତ୍ତର ଦାଖଲ କରିବା ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଟ୍ରିବ୍ୟୁନାଲ ସେପ୍ଟେମ୍ବର ୧୬ ତାରିଖକୁ ଧାର୍ଯ୍ୟ କରିଛନ୍ତି।
[ad_2]