କୋଭିଡ୍ ତୁଳନାରେ ମିଛ ଖବର ଅଧିକ ଜୀବନ ନେଇଛି: ଅନୁରାଗ ଠାକୁର – Ibnodisha
[ad_1]
ଭୁବନେଶ୍ବର: ମିଛ ଖବର ବା ଫେକ୍ ନ୍ୟୁଜ୍ ସମାଜ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ୨ବର୍ଷ ତଳେ କୋଭିଡ୍ ମହାମାରୀ ସମୟରେ ମିଳିତ ଜାତିସଂଘର ହୋଇଥିବା ବୈଠକରେ ବିଭିନ୍ନ ଦେଶକୁ ପ୍ରତିନିଧିତ୍ବ କରିଥିବା ପ୍ରତିନିଧିଗଣ ମହାମାରୀ ଅପେକ୍ଷା ଫେକ୍ ନ୍ୟୁଜ୍କୁ ନେଇ ଚିନ୍ତା ପ୍ରକଟ କରିଥିଲେ। କୋଭିଡ୍ ମହାମାରୀ ତୁଳନାରେ ମିଛ ଖବର ଅଧିକ ଜୀବନ ନେଇଛି। ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଅନେକ ଖବରର ସତ୍ୟତା ଯାଞ୍ଚ ନ କରି ଏହାକୁ ସେୟାର କରିବା ଫଳରେ ଯେଉଁ କ୍ଷତି ହେଉଛି ତାହା ଆମେ କଳ୍ପନା କରିପାରିବା ନାହିଁ। ମିଛ ଖବର ପାଇଁ ଅନେକଙ୍କୁ ଆତ୍ମହତ୍ୟା ମଧ୍ୟ କରିବାକୁ ପଡ଼ିଛି। ତେଣୁ ସମସ୍ତଙ୍କୁ ଫେକ୍ ନ୍ୟୁଜ୍ର ଗମ୍ଭୀରତା ବୁଝିବାକୁ ହେବ। ‘ସମ୍ବାଦ’କୁ ୪୦ ଓ କନକ ନ୍ୟୁଜ୍କୁ ଆସନ୍ତାକାଲି ୧୫ ବର୍ଷ ଛୁଇଁବ। ଏହାର ଅବ୍ୟବହିତ ପୂର୍ବରୁ ଆଜି ଆୟୋଜିତ ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର।
ହୋଟେଲ ସ୍ବସ୍ତି ପ୍ରିମିୟମ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଠାକୁର କହିଲେ, ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ବଡ଼ ଭୂମିକା ରହିଛି। ମହାତ୍ମା ଗାନ୍ଧୀ ସାମ୍ବାଦିକତାକୁ ସମାଜର ପରିବର୍ତ୍ତନର ଏକ ବଡ଼ ମାଧ୍ୟମ ଭାବେ ଦେଖିଥିଲେ। ସତ୍ୟ, ନ୍ୟାୟ ଓ ସମାଜ କଲ୍ୟାଣ ପାଇଁ ଏହା ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ବିଚାର କରିଥିଲେ। ସେବା ହିଁ ସାମ୍ବାଦିକତାର ପ୍ରକୃତ ଲକ୍ଷ୍ୟ ହେବା ଉଚିତ୍ ବୋଲି ଗାନ୍ଧୀଜୀ ଅନୁଭବ କରିଥିଲେ। ଗାନ୍ଧୀଜୀଙ୍କ ଦ୍ବାରା ପରିଚାଳିତ ଖବରକାଗଜ ସ୍ବାଧୀନତା ସଂଗ୍ରାମରେ ଜନମତ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏପରିକି ଆଞ୍ଚଳିକ ଭାଷାରେ ମଧ୍ୟ ଗାନ୍ଧୀଜୀ ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରୁଥିଲେ। ଏହି ଦୃଷ୍ଟିରୁ ଆଞ୍ଚଳିକ ଭାଷାରେ ପ୍ରକାଶ ପାଉଥିବା ଖବରକାଗଜଗୁଡ଼ିକୁ ଅଣଦେଖା କରାଯାଇପାରିବ ନାହିଁ। ସେହିପରି କବି, ଲେଖକ ଭାରତେନ୍ଦୁ ହରିଶ୍ଚନ୍ଦ୍ର ନିଜର ସଂପୂର୍ଣ୍ଣ ଜୀବନ ସାମ୍ବାଦିକତା ଓ ସାହିତ୍ୟ ପାଇଁ ସମର୍ପିତ କରିଥିଲେ। ୧୦୦ ବର୍ଷ ପୂର୍ବରୁ ସେ ଆଞ୍ଚଳିକ ଭାଷାରେ ଲେଖିବା ଓ ପଢ଼ିବା ଉପରେ ଜୋର୍ ଦେଇଥିଲେ। ଭାରତ ଭଳି ଏକ ବିବିଧତା ପୂର୍ଣ୍ଣ ଦେଶରେ କୋଣ ଅନୁକୋଣରେ ପହଞ୍ଚିବାକୁ ହେଲେ ସ୍ଥାନୀୟ ଭାଷାର ଏକ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି।
ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସ୍ଥାନୀୟ ବା ଆଞ୍ଚଳିକ ଭାଷା ଉପରେ ଯଥେଷ୍ଟ ଗୁରୁତ୍ବ ଦେଇ ଆସୁଛନ୍ତି। ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ସ୍ଥାନୀୟ ଭାଷାକୁ ଗୁରୁତ୍ବ ଦିଆଯାଇଛି। ‘ସମ୍ବାଦ’ ଓଡ଼ିଶାର ସର୍ବାଧିକ ପଠିତ ଖବରକାଗଜ ହୋଇଥିବା ଦୃଷ୍ଟିରୁ ସରକାର ହେଉ ବା ସମାଜରୁ ଆସୁଥିବା ଆହ୍ବାନକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବା ଦରକାର। ଜରୁରି ପରିସ୍ଥିତିରେ ଯଦି ଇନ୍ଦିରା ଗାନ୍ଧୀ ଗଣମାଧ୍ୟମକୁ ଦବାଇ ପାରିଲେ ନାହିଁ, ଆଜି କିଏ ଗଣମାଧ୍ୟମକୁ ଦବାଇ ପାରିବ? ତେଣୁ ନୂଆ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗରେ ସୂଚନା କିଭଳି ସମସ୍ତଙ୍କ ନିକଟରେ ପହଞ୍ଚିପାରିବ ସେଥିପାଇଁ ଉଦ୍ୟମ କରାଯିବା ଆବଶ୍ୟକ। ଯାହାଫଳରେ ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନେ ଓଡ଼ିଶା ସଂପର୍କରେ ସୂଚନା ପାଇପାରିବେ। ‘ସମ୍ବାଦ’ ଠିକ୍ ଖବର ଠିକ୍ ସମୟରେ ଲୋକଙ୍କ ପାଖରେ ପହଞ୍ଚାଇବା କାର୍ଯ୍ୟ ଜାରି ରଖୁ ବୋଲି ଶ୍ରୀ ଠାକୁର ପରାମର୍ଶ ଦେଇଥିଲେ।
ଉଦ୍ଘାଟକ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଗଣତନ୍ତ୍ରରେ ମତକୁ ନେଇ ବିତର୍କ ହୋଇପାରେ। ବିଚାରକୁ ନେଇ ଆଲୋଚନା ଓ ସମାଲୋଚନା ହେବ। କିନ୍ତୁ ସମସ୍ତେ ଲକ୍ଷ୍ମଣ ରେଖା ଭିତରେ ରହିବା ଦରକାର। ବିଚାର ପାର୍ଥକ୍ୟକୁ ସମ୍ମାନ ଦେବା ଶିଖିବା ଦରକାର, ଏହା ହିଁ ଗଣତନ୍ତ୍ରର ବଡ଼ ସର୍ତ୍ତ। ଗୌରୀଶଙ୍କର ରାୟଙ୍କ ଦ୍ବାରା ପ୍ରତିଷ୍ଠିତ ଉତ୍କଳ ଦୀପିକା, ଗୋପବନ୍ଧୁ ଦାସଙ୍କ ଦ୍ବାରା ସମାଜ ଓ ହରେକୃଷ୍ଣ ମହତାବଙ୍କ ପ୍ରଜାତନ୍ତ୍ର ଗୋଟିଏ ଗୋଟିଏ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିଲା। ସମ୍ବାଦପତ୍ରର ଦାୟିତ୍ବ କ’ଣ, ତାହାର ବାର୍ତ୍ତା ଦିଆଯାଇଥିଲା। ରାଜନୈତିକ ବ୍ୟକ୍ତିମାନେ ସବୁବେଳେ ଭାବିଥାନ୍ତି ଯେ ଖବରକାଗଜରେ ତାଙ୍କ କଥାଟା ହିଁ ଛପାଯିବା ଦରକାର। ହୁଏତ ଏହା ଯୋଜନାବଦ୍ଧ ଭାବେ ଅଣଦେଖା ହୁଏ କିମ୍ବା ନ ହୋଇପାରେ। ରାଜନେତାମାନେ ଭାବିଥାନ୍ତି ଯେ ସେମାନେ ହିଁ ପୃଥିବୀକୁ ଚଳାଉଛନ୍ତି ବୋଲି। ତେବେ ସମାଜରେ ସର୍ବଦା ନାଗରିକ ସମାଜ ପ୍ରଭାବଶାଳୀ ହେବା ଦରକାର। କିଛି ବିଷୟକୁ ନେଇ ସମସ୍ତଙ୍କ ଭିତରେ ଅସହମତି ଥାଇପାରେ, କିନ୍ତୁ କିଛି ବିଷୟରେ ସମସ୍ତଙ୍କୁ ସହମତି ହେବାକୁ ପଡ଼ିବ। ଓଡ଼ିଆ ଭାଷା, ଶ୍ରୀଜଗନ୍ନାଥ ଓ ଓଡ଼ିଶାରେ ଅତୀତ ଭଳି ବ୍ୟବସାୟ ବଢ଼ାଇବା ପାଇଁ ଉଦ୍ୟମ କରିବା ସଂପର୍କରେ ଚର୍ଚ୍ଚା ଓ ଆଲୋଚନା କରାଯିବା ଦରକାର। ‘ସମ୍ବାଦ’ ଏପ୍ରକାର ସାମାଜିକ ଦଣ୍ଡଶକ୍ତି ହେଉ। ସବୁ ବ୍ୟକ୍ତି, ପରିବାର ଓ ସଂଗଠନର ସ୍ଥିତାବସ୍ଥାରେ ପରବର୍ତ୍ତନ ଆସେ। କିନ୍ତୁ ଯେଉଁ ବ୍ୟକ୍ତି ବା ପରିବାର ଆଗକୁ ଦେଖିଥାଏ ସେ ଆଗକୁ ବଢ଼ିପାରେ। ନୂତନ ଲେଖକଙ୍କୁ ପୁସ୍ତକ ଲେଖିବା ପାଇଁ ପ୍ରୋତ୍ସାହିତ କରିବା, ମାଟ୍ରିକ୍ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧନା, ସାହିତ୍ୟ ଘର ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଭାଷା ଓ ଓଡ଼ିଆତ୍ବକୁ ‘ସମ୍ବାଦ’ ବିଗତ ୪୦ବର୍ଷ ଧରି ପ୍ରସ୍ପୁଟିତ କରିପାରିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ।
‘ସମ୍ବାଦ’ ସଂପାଦିକା ତନୟା ପଟ୍ଟନାୟକ କହିଲେ, ‘ସମ୍ବାଦ’ ଆଜି କେବଳ ଏକ ଖବରକାଗଜ କିମ୍ବା ଅନୁଷ୍ଠାନ ନୁହେଁ, ଏହା ଏକ ଆନ୍ଦୋଳନ, ଏକ ଚିନ୍ତାଧାରା, ଭାବ ଓ ଏକ ଅଭିଯାନ। ପୂର୍ବତନ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ସର୍ବଦା କହିଥାନ୍ତି ଯେ ଗଣମାଧ୍ୟମର କାମ ହେଲା ଲୋକଙ୍କୁ ଲୋକଙ୍କ ସହିତ ଯୋଡ଼ିବା। ନେତୃତ୍ବରେ ପରିବର୍ତ୍ତନ ଆସିଥିଲେ ହେଁ ମୂଳମନ୍ତ୍ର ବଦଳି ନାହିଁ। ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବାର ଧାରା ଜାରି ରହିବ। ପାଠକ, ଦର୍ଶକ, ଶୁଭେଚ୍ଛୁ ଓ ପୃଷ୍ଠପୋଷକଙ୍କ ଆଶୀର୍ବାଦରୁ ରାଜ୍ୟର ୧ ନମ୍ବର ଖବରକାଗଜର ମାନ୍ୟତା ଦେଇଛି। ସେ ଆହୁରି ମଧ୍ୟ କହିଥିଲେ, ମୁଁ ୨୦୧୦ରେ ଆନୁଷ୍ଠାନିକ ଭାବେ ‘ସମ୍ବାଦ’ ପରିବାରରେ ଯୋଗ ଦେଇଥିଲି। ୧୩ବର୍ଷ ଭିତରେ ‘ସମ୍ବାଦ’ର ବିଭିନ୍ନ ଶାଖାରେ କାମ କରିବାର ସୁଯୋଗ ମିଳିଛି। ମାତ୍ର ସଂପାଦକ ଦାୟିତ୍ବ ଏତେଶୀଘ୍ର ଗ୍ରହଣ କରିବି ବୋଲି କଳ୍ପନା ନ ଥିଲା। ମାତ୍ର ଲୋକଙ୍କ ଶୁଭେଚ୍ଛା ମୋର ଆତ୍ମବିଶ୍ବାସ ବଢ଼ାଇଛି। ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ‘ସମ୍ବାଦ’ର ଭାଷାଜ୍ଞାନ ପରୀକ୍ଷାରେ ଅଂଶଗ୍ରହଣ କରିଥାନ୍ତି। ପ୍ରତ୍ୟେକ ବ୍ଲକ୍ରେ ରକ୍ତଦାନ ଶିବିର ଆୟୋଜନ ସହିତ ରେଡିଓ ଚକଲେଟ୍ ଓଡ଼ିଆ ସ୍ବାଦ ନେଇ ଘରେ ଘରେ ମନୋରଞ୍ଜନ, କନକ ନ୍ୟୁଜ୍ ଜରିଆରେ ପରିବର୍ତ୍ତନର ସ୍ବର ପାଲଟିବା ଓ ସଦାସର୍ବଦା ସାହିତ୍ୟ, ଭାଷାକୁ ଶ୍ରଦ୍ଧା ଓ ସମ୍ମାନ ଦେଉଥିବାରୁ ଜଣେ ‘ସମ୍ବାଦ’ ପରିବାରର ସଦସ୍ୟଭାବେ ଗର୍ବ ଅନୁଭବ କରୁଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ‘ସମ୍ବାଦ’ ଗ୍ରୁପ୍ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଥିଲେ ଯେ ପାଠକ, ଦର୍ଶକ ଓ ଶ୍ରୋତାଙ୍କ ପାଇଁ ‘ସମ୍ବାଦ’ ଗ୍ରୁପ୍ ରାଜ୍ୟରେ ୧ ନମ୍ବର ହୋଇପାରିଛି। ବୃହତ ‘ସମ୍ବାଦ’ ପରିବାର ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ଏହି ଅବସରରେ ‘ସମ୍ବାଦ’ର ବାର୍ଷିକ ସଂଖ୍ୟା ଉନ୍ମୋଚିତ ହେବା ସହିତ ବିଭିନ୍ନ ପରୀକ୍ଷାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭରେ ‘ସମ୍ବାଦ’ ସଂପାଦକ(ଫିଚର) ଗୌରହରି ଦାସ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।
[ad_2]