IBN ଓଡ଼ିଶା ବ୍ୟୁରୋ

ଆଇଫୋନ୍ ଉତ୍ପାଦନ: ଚୀନ୍ ସମକକ୍ଷ ହେବ ଭାରତ

ନୂଆଦିଲ୍ଲୀ: ବିଶ୍ବର କାରଖାନା ଭାବେ ପରିଚିତ ଚୀନ୍‌କୁ ଭାରତ କଡ଼ା ପ୍ରତିଦ୍ବନ୍ଦ୍ବିତା ଦେଉଛି। ବିଶେଷ କରି ଫୋନ୍ ଉତ୍ପାଦନ କ୍ଷେତ୍ରରେ ଏହା ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଆପଲ୍‌ କମ୍ପାନିର ଆଇଫୋନ୍ ଉତ୍ପାଦନରେ ଭାରତ ପାଞ୍ଚ ବର୍ଷ ଭିତରେ ଚୀନ୍ ସମକକ୍ଷ ହୋଇଯିବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ଭାରତରେ ବିଶ୍ବର ୧୪-୧୫ ପ୍ରତିଶତ ଆଇଫୋନ୍ ଉତ୍ପାଦନ କରାଯାଉଛି। ଭାରତ ହେଉଛି ଏକମାତ୍ର ଦେଶ ଯାହା ଚୀନ୍‌ର ବିକଳ୍ପ ଭାବେ ଉଭା ହୋଇଛି। ୨୦୨୭ ସୁଦ୍ଧା ଭାରତରେ ୩୦ ପ୍ରତିଶତ ଆଇଫୋନ୍ ଉତ୍ପାଦନ ହେଉଥିବ ବୋଲି ଆକଳନ କରାଯାଇଛି।

ଉତ୍ପାଦନ କ୍ଷେତ୍ରରେ ଆପଲ୍ ପ୍ରତି ଭାରତର ଯୋଗଦାନ ବଢ଼ୁଥିଲେ ମଧ୍ୟ ରାଜସ୍ବ ଦୃଷ୍ଟିରୁ ତାହା ଚୀନ୍‌ଠାରୁ ଯଥେଷ୍ଟ ପଛୁଆ ରହିଛି। ଆଇଫୋନ୍‌ର ଦାମ୍‌ ଏତେ ଅଧିକ ରହୁଛି ଯେ କେବଳ ସ୍ବଚ୍ଛଳ ବର୍ଗକୁ ବାଦ ‌ଦେଲେ ଭାରତର ଏକ ସିଂହଭାଗ ଜନସଂଖ୍ୟା ସେହି ଫୋନ୍ କିଣିବାକୁ ସାହସ ଜୁଟାଇ ପାରୁନାହାନ୍ତି। ୨୦୨୩-୨୪ରେ ଆପଲ୍‌ ଭାରତରୁ ୮୦୦ କୋଟି ଡଲାର ରାଜସ୍ବ ପାଇଥିଲା ଯାହା କମ୍ପାନିର ବିଶ୍ବସ୍ତରୀୟ ରାଜସ୍ବର ମାତ୍ର ୨ ପ୍ରତିଶତ। ଚୀନ୍‌ରୁ କିନ୍ତୁ ଆପଲ୍‌ର ୧୭ ପ୍ରତିଶତ ଆୟ ହୋଇଥିଲା। ଭାରତଠାରୁ ଚୀନ୍‌ର ମୁଣ୍ଡପିଛା ଆୟ ୫ ଗୁଣ ଅଧିକ ରହିଛି। ସେଥିପାଇଁ ସେଠାକାର ଲୋକମାନଙ୍କ କ୍ରୟ ଶକ୍ତି ଅଧିକ ରହିଛି। ଆମେରିକା ପରେ ଦ୍ବିତୀୟ ସର୍ବାଧିକ ଆଇଫୋନ୍ ଚୀନ୍‌ରେ ବିକ୍ରି ହେଉଛି। ଭାରତ ହେଉଛି ବିଶ୍ବର ଦ୍ବିତୀୟ ବଡ଼ ସ୍ମାର୍ଟଫୋନ୍ ବଜାର। କିନ୍ତୁ ଏଠାରେ ଆପଲ୍‌ର ବଜାର ଅଂଶ ମାତ୍ର ୬-୭ ପ୍ରତିଶତ ରହିଛି। ଅବଶିଷ୍ଟ ବଜାର ଆଣ୍ଡ୍ରଏଡ୍‌ ଫୋନ୍ କବ୍‌ଜାରେ ରହିଛି। ସାମସଙ୍ଗ, ଓପୋ, ଭିଭୋ ଓ ଶାଓମି ଭଳି ବ୍ରାଣ୍ଡ୍‌ ଏହି ବଜାରର ଆବଶ୍ୟକତା ପୂରଣ କରୁଛନ୍ତି। ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ ‌ଲଢ଼େଇ ପରେ ନିଜ ଯୋଗାଣ ଶୃଙ୍ଖଳାରେ ବିବିଧତା ଆଣିବା ଲାଗି ଭାରତରେ କାରଖାନା ସ୍ଥାପନ କରିବାକୁ ୨୦୨୦ରେ ଆପଲ୍‌ ନିଷ୍ପତ୍ତି ନେଇଥିଲା। କମ୍ପାନି ଭାରତରେ ଉତ୍ପାଦନ କରୁଥିବା ୭୦ ପ୍ରତିଶତ ଆଇଫୋନ୍ ରପ୍ତାନି କରୁଛି। ସାମସଙ୍ଗ ୩୦-୩୫ ପ୍ରତିଶତ ଫୋନ୍ ରପ୍ତାନି କରୁଥିବା ବେଳେ ଅବଶିଷ୍ଟ ଫୋନ୍‌ଗୁଡ଼ିକୁ ସ୍ଥାନୀୟ ବଜାରରେ ବିକ୍ରି କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button