ଡାଲମିଆ ଭାରତ’ ୫ ବର୍ଷ ବ୍ୟାଡ୍ମିଣ୍ଟନ୍ ଏଚ୍ପିସିର ରକ୍ଷଣାବେକ୍ଷଣ କରିବ
ଭୁବନେଶ୍ବର: ଭୁବନେଶ୍ବରରେ ପ୍ରଥମ ଥର ପାଇଁ ସ୍ଥାପିତ ବିଶ୍ବର ଅନନ୍ୟ ଆକୃତିର ଅତ୍ୟାଧୁନିକ ଆବାସିକ ବ୍ୟାଡ୍ମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର ବା ହାଇ ପର୍ଫରମାନ୍ସ ସେଣ୍ଟରର ନିର୍ମାଣ କାର୍ଯ୍ୟ ଡାଲମିଆ ଭାରତ ଲିମିଟେଡ୍ କମ୍ପାନି ଦ୍ବାରା କରାଯାଇଛି। ଏଥିପାଇଁ କମ୍ପାନି ପ୍ରାୟ ୭୫ କୋଟି ଟଙ୍କା ବ୍ୟୟ କରିଛି। ଏଥିସହ ଏହି କେନ୍ଦ୍ର ଆତ୍ମନିର୍ଭରଶୀଳ ହେବା ଯାଏ ୫ ବର୍ଷ ପାଇଁ କମ୍ପାନି ଏହାର ରକ୍ଷଣାବେକ୍ଷଣ ମଧ୍ୟ କରିବ। ଓଡ଼ିଶାରେ ଏଭଳି କେନ୍ଦ୍ର ସ୍ଥାପନ କରି କମ୍ପାନି ଏକ ଭିନ୍ନ ଅନୁଭୂତି ଲାଭ କରିଛି। ଓଡ଼ିଶାରେ ଡାଲମିଆ ସିମେଣ୍ଟ ୧୯୪୯ ଅକ୍ଟୋବରରେ ଏହାର ଯାତ୍ରା ରାଜଗାଙ୍ଗପୁର କାରଖାନାରୁ ଆରମ୍ଭ କରିଥିଲା। ଓଡ଼ିଶାରେ ୭୫ ବର୍ଷର ବ୍ୟବସାୟିକ ଯାତ୍ରା ପରିପ୍ରେକ୍ଷୀରେ ସଂଯୋଗ ଭାବେ କମ୍ପାନି ୭୫ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ବରରେ ବ୍ୟାଡମିଣ୍ଟନ ହାଇ ପର୍ଫର୍ମାନ୍ସ ସେଣ୍ଟର୍ ନିର୍ମାଣ ଆମ ପାଇଁ ଅନେକ ଖୁସି ଆଣିଛି ବୋଲି ଡାଲମିଆ ଭାରତ ଲିମିଟେଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପରିଚାଳନା ନିର୍ଦ୍ଦେଶକ ପୁନୀତ ଡାଲମିଆ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ କହିଛନ୍ତି।
ଡାଲମିଆ ସିମେଣ୍ଟ କେବଳ ଖୁସିର ଘର ନିର୍ମାଣ କରୁନାହିଁ। ଓଡ଼ିଶା ଏବଂ ଦେଶର ବହୁ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ଯଥା ବନ୍ଦର, ବିମାନବନ୍ଦର, ସଡ଼କ, ରେଳଧାରଣା, ପୋଲ ଏବଂ ଶିଳ୍ପ ପ୍ରତିଷ୍ଠାନ ନିର୍ମାଣ କରୁଛି। ଭୁବନେଶ୍ବରଠାରେ କର୍କ ଆକୃତିର ବ୍ୟାଡମିଣ୍ଟନ ଏଚ୍ପିସି ନିର୍ମାଣରେ କମ୍ କାର୍ବନଯୁକ୍ତ ସିମେଣ୍ଟ୍ ବ୍ୟବହାର ହୋଇଛି। ଏଥିସହିତ ଏଲ୍ଇଡି ଆଲୋକ ଏବଂ ବର୍ଷା ଜଳ ଅମଳ ବ୍ୟବସ୍ଥା ମଧ୍ୟ ଏଠାରେ ରହିଛି। ପରିବେଶକୁ ଦୃଷ୍ଟିରେ ରଖି ଏସବୁ କରାଯାଇଛି ବୋଲି ସେ କହିଛନ୍ତି। ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ ସହିତ ଲୋକଙ୍କ ପାଇଁ ଖୁସିର ଘର ଏବଂ ଅନେକ ସାମାଜିକ ଭିତ୍ତିଭୂମି ବି କମ୍ପାନି ପ୍ରତିଷ୍ଠା କରୁଛି। ସାମାଜିକ ଭିତ୍ତିଭୂମି ଭାବେ କମ୍ପାନି ଲୋକଙ୍କ ଦକ୍ଷତା ବିକାଶ ପାଇଁ ଦୀକ୍ଷା (ଡାଲମିଆ ଇନ୍ଷ୍ଟିଚ୍ୟୁଟ୍ ଫର୍ ନଲେଜ୍ ଆଣ୍ଡ୍ ସ୍କିଲ୍ ହାର୍ନେସିଂ) ଓ ଆଇଟିଆଇ ପ୍ରତିଷ୍ଠା, ଚିକିତ୍ସା ସେବା ପାଇଁ ରାଉରକେଲାରେ ଏଲ୍ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ସ୍ଥାପନ ଏବଂ ଲୋକଙ୍କ ଆର୍ଥିକ ଉନ୍ନତି ପାଇଁ ଗ୍ରାମ ପରିବର୍ତ୍ତନ ଭଳି କାର୍ଯ୍ୟକ୍ରମ ଚଳାଇଛି।
ଡାଲମିଆ ଭାରତ ଲିମିଟେଡ ଆସନ୍ତା ୨୦୩୦ ସୁଦ୍ଧା ସଂପୂର୍ଣ୍ଣ ଭାବେ ଅକ୍ଷୟ ଶକ୍ତିରେ ଚାଲିବ। ବର୍ତ୍ତମାନ କମ୍ପାନି ୩୫ ପ୍ରତିଶତ ଅକ୍ଷୟ ଶକ୍ତିରେ ଚାଲିଛି। ଆସନ୍ତା କିଛିବର୍ଷ ମଧ୍ୟରେ ଅକ୍ଷୟ ଶକ୍ତି ବ୍ୟବହାର ମାତ୍ରା ୬୫ ପ୍ରତିଶତରେ ଏବଂ ୨୦୩୦ ମସିହା ସୁଦ୍ଧା ୧୦୦ ପ୍ରତିଶତରେ ପହଞ୍ଚିବ ବୋଲି ଶ୍ରୀ ଡାଲମିଆ କହିଛନ୍ତି। କେବଳ ସେତିକି ନୁହେଁ କମ୍ପାନି ଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ କରିଛି। ବର୍ଜ୍ୟବସ୍ତୁର ଉପଯୋଗ ମଧ୍ୟ କରୁଛି। ବିଶ୍ବରେ ସିମେଣ୍ଟ୍ ଶିଳ୍ପର ମୁଣ୍ଡପିଛା ଅଙ୍ଗାରକାମ୍ଳ ନିର୍ଗମନ ତୁଳନାରେ ଭାରତୀୟ ସିମେଣ୍ଟ ଶିଳ୍ପର ଅଙ୍ଗାରକାମ୍ଳ ନିର୍ଗମନ ୧୫ ପ୍ରତିଶତ କମ୍। କିନ୍ତୁ ଡାଲମିଆ ସିମେଣ୍ଟ କ୍ଷେତ୍ରରେ ଏହା ୩୦ ପ୍ରତିଶତ କମ୍ ବୋଲି ସେ କହିଛନ୍ତି। ଓଡ଼ିଶାର ସିମେଣ୍ଟ୍ ବଜାରରେ ଡାଲମିଆର ବଜାର ଅଂଶ ୨୨ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୭ରୁ ୮ ହଜାର କୋଟି ଟଙ୍କା କମ୍ପାନି ରାଜ୍ୟରେ ଖଟାଇଛି ବୋଲି ସେ ସୂଚନା ଦେଇଛନ୍ତି।